ବର୍ଷିୟାନ୍ ଜ୍ୟୋତିଷ ବିଶାରଦ ପଣ୍ଡିତ ଗଦାଧର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା
ଯାଜପୁର : ବିରଜା ମଣ୍ଡଳ ଗଣକ ମଣ୍ଡଳି ଓ ପଣ୍ଡିତ ସଭା ପକ୍ଷରୁ ବର୍ଷିଆନ୍ ଜ୍ୟୋତିଷ ବିଶାରଦ ପଣ୍ଡିତ ଗଦାଧର ମହାପାତ୍ରଙ୍କୁ ଏକ ସମ୍ବର୍ଦ୍ଧନା ସଭା ବରାହ ମନ୍ଦିର ପରିସରରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ନୃସିଂହ ମହାରଣ୍ୟଙ୍କ ଆବାହକତ୍ତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ଗଣକ ମଣ୍ଡଳି ପ୍ରତି ସରକାର ସଚେତନ ଅଛନ୍ତି ବୋଲି ମତବ୍ୟକ୍ତ କରିବା ସହିତ ସଂଘର ସାମୁହିକ ବିକାଶ ନିମନ୍ତେ ଯାହା ଆବଶ୍ୟକତା ରହିଛି ତାହା ପୂରଣ କରିବା ପାଇଁ ସଂକଳ୍ପବଧ ବୋଲି ସୂଚନା ଦେବା ସହିତ ଗଦାଧର ବାବୁଙ୍କ ଦୀର୍ଘାୟୁ କାମନା କରିଥିଲେ । ସମ୍ପ୍ରତି ସେ ୯୪ବର୍ଷରେ ପଦାର୍ପଣ କରିଥିବା ବେଳେ ଭଗବାନ ତାଙ୍କୁ ଅଧିକ ଆୟୁଷ ଦିଅନ୍ତୁ ବୋଲି ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତିର୍ବିଦ ବାଲୁଙ୍କେଶ୍ୱର ଦ୍ୱିବେଦୀ, ବଟକୃଷ୍ଣ ନାୟକ, ବିନାୟକ ନାୟକ, ଶ୍ରୀବତ୍ସ ଖଡ଼ିରତ୍ନ, ଗୋପାଳ ମହାରଣ୍ୟ, ଚିତ୍ତରଞ୍ଜନ ନାୟକ, ଶିଶିର ମହାପାତ୍ରଙ୍କ ସମେତ ବହୁ ଜ୍ୟୋତିର୍ବିଦ ମାନେ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିବା ସହିତ ଦୀର୍ଘାୟୁ କାମନା କରିଥିଲେ । ତାଙ୍କ ଦ୍ୱାରା ପ୍ରକାଶିତ ବିରଜା ପଞ୍ଜିକା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ।
