ସଡ଼କ ଦୁର୍ଘଟଣାରେ ପୁର୍ବତନ ବିଧାୟକ ଅର୍ଜୁନ ଦାସଙ୍କ ଅକାଳ ବିୟୋଗ
ଯାଜପୁର : ସଡ଼କ ଦୁର୍ଘଟଣାରେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଅର୍ଜୁନ ଦାସଙ୍କର ଶନିବାର ପୁର୍ବାହ୍ନରେ ପରଲୋକ ଘଟିଛି । ସେ ପୁର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପୁଅ ଅଟନ୍ତି । ଅର୍ଜୁନ ବାଇକ୍ରେ ଘରୁ ଭୂବନେଶ୍ୱର ଅଭିମୁଖେ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଖରସୈାତା ବ୍ରିଜ ଉପରେ ଦୁର୍ଘଟଣାର ଶୀକାର ହୋଇଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ପ୍ରାୟ ୫୨ବର୍ଷ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀତାଙ୍କ ବିବରଣୀ ଅନୁଯାୟୀ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଗାଡ଼ି ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଅର୍ଜୁନ ଚରଣ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଅନନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ବିଆରଏସ୍ ପକ୍ଷରୁ ଭୂବନେଶ୍ୱରରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ଯୋଗ ଦେବା ପାଇଁ ଅର୍ଜୁନ ଓ ତାଙ୍କ ସହଯୋଗୀ ଅନନ୍ତ ଦୁହେଁ ଏକ ବାଇକ୍ ଯୋଗେ ଯାଉଥିବା ସମୟରେ ଏହି ଦୁର୍ଘଟଣାର ଶୀକାର ହୋଇଥିଲେ । ଯାଜପୁର ସଦର ପୋଲିସ ବାଲି ବୋଝେଇ ହାଇୱାକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ । ସ୍ୱର୍ଗତ ଦାସ ଯାଜପୁର ଜିଲାର ବିଞ୍ଝାରପୁର ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ୧୯୯୫ ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିକଟରେ ସେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଯାଇ କେ ଚନ୍ଦ୍ର ଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି(ବିଆରଏସ୍)ରେ ପୁର୍ବତନ ମୁଖ୍ରମନ୍ତ୍ରୀ ଗିରିଧର ଗମାଙ୍ଗ, ପୁର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ପ୍ରମୁଖଙ୍କ ସହିତ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ଜିଲା ସଭାପତି ମନୋଜ କୁମାର ରାଉତ, ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ, ପୈାର ଉପାଧ୍ୟକ୍ଷ ସନ୍ତୋଷ ମଲିକ, ବିଞ୍ଝାରପୁର ବ୍ଲକର ପୁର୍ବତନ ଅଧ୍ୟକ୍ଷ ନନ୍ଦ କିଶୋର ସାମଲଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।
