ବିରଜାପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ
ଯାଜପୁର : ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବିରଜାପୁରନୋଡ଼ାଲ ଉ.ପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ନାରାୟଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ କ୍ରୀଡ଼ାର ଅନ୍ତିମ ଦିବସରେ ଅନୁଷ୍ଠିତ ଏହି ଉତ୍ସବ ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିରଜାପୁର ସରପଞ୍ଚ ନିରାକାର ସାହୁ, ସମ୍ମାନୀତ ଅତିଥି ଅଭିମନ୍ୟୁ ରାଉତ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରିଣୀ ସାବିତ୍ରୀ ସେଠୀ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଅନ୍ନଦା ପ୍ରସାଦ ରଣା, ସମିତି ସଭ୍ୟ ରମାକାନ୍ତ ସେଠୀ, ବିଦ୍ୟାଳୟ କମିଟି ଅଧ୍ୟକ୍ଷ ସିନ୍ଧାନ୍ତ ଶଙ୍କର ମାହୁନ୍ତ, ସଭ୍ୟ ଶୁକଦେବ ଦାସ, ପୁଷ୍ପଲତା ଦାସ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ତଥା ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବାର୍ଷିକ କ୍ରୀଡ଼ାର କୃତୀ ଛାତ୍ରଛାତ୍ରୀଙ୍କ ସମେତ ତୃତୀୟ ଶ୍ରେଣୀ ମେଧାବୃତ୍ତିରେ ସଫଳତା ହାସଲ କରିଥିବା ଛାତ୍ର ସୂର୍ଯ୍ୟ ପ୍ରସାଦ ଦାସ ଓ ବିଦ୍ୟାଳୟଶ୍ରୀ ଛାତ୍ରୀ ଲିସା ବିଶ୍ୱାଳଙ୍କୁ ଅତିଥି ଭାବେ ପୁରସ୍କୃତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜନ୍ମେଜୟ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ବାପି ନାଥ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଦେବେନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ମଧୂସୂଦନ ପାଣ୍ଡେ, ଦାଶରଥି ମାଝୀ ଓ ଶିକ୍ଷୟିତ୍ରୀ ନିରୂପମା ବେହେରା ଏବଂ ରଶ୍ମିପ୍ରଭା ରାୟ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।
