ଥଇଥାନ କରାଯାଇଥିବା ବସ୍ତିବାସିନ୍ଦାଙ୍କ ସମସ୍ୟାର ସମାଧାନ ଦାବି
କଟକ : କଟକରେ ବହୁ ବସ୍ତିକୁ ଉଚ୍ଛେଦ କରି ନୂଆପଡା ବାଲିସାହି, ନିମପୁର ଏବଂ ଲକ୍ଷ୍ମଣପୁରଠାରେ ଥଇଥାନ କରାଗଲା । କିନ୍ତୁ ସେଠାରେ କୈାଣସି କର୍ମସଂସ୍ଥାନ ନ ମିଳିବାରୁ ଲୋକମାନଙ୍କୁ ପ୍ରତିଦିନ ନିଜର ପୁରୁଣା ବସ୍ତି ଅଂଚଳକୁ ଆସିବାକୁ ପଡୁଛି । ସେଥିପାଇଁ ଅଟୋ ଭଡା ବାବଦରେ ବହୁ ଅର୍ଥ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଏଥିପାଇଁ ଉକ୍ତ ବସ୍ତି ଅଂଚଳକୁ ଟାଉନ ବସ୍ ଚଳାଇବା ସହିତ ମାସିକ ପାସ୍ ବ୍ୟବସ୍ଥା କରିବାକୁ ଦାବି କରି କଟକ ଜିଲ୍ଲାପାଳଙ୍କୁ ଅଖିଳ ଓଡିଶା ଝୋପଡିପଟ୍ଟି ମହାସଂଘ ଏକତା ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଥଇଥାନ ହୋଇଥିବା ବସ୍ତି ଅଂଚଳକୁ ଟାଉନ୍ ବସ୍ ଚଳାଇବା ସହିତ ମାସିକିଆ ପାସ୍ର ବ୍ୟବସ୍ଥା କରାଯିବା, ଥଇଥାନ ହୋଇଥିବା ବସ୍ତି ଅଂଚଳରେ ଲାଇବ୍ରେରୀ, ଖେଳପଡିଆ, ସ୍କୁଲ, ଡାକ୍ତରଖାନା କରିବା ସହିତ ଆହାର କେନ୍ଦ୍ର ଖୋଲାଯିବା, ବସ୍ତି ପିଲାଙ୍କୁ ସୁଶିକ୍ଷିତ କରିବା ପାଇଁ ଭ୍ରାମ୍ୟମାଣ ପାଠାଗାରର ବ୍ୟବସ୍ଥା କରାଯିବା, ବସ୍ତି ଅଂଚଳରେ ପ୍ରାୟତଃ ଶ୍ରମିକ ଶ୍ରେଣୀର ବ୍ୟକ୍ତିମାନେ ରହୁଥିଲେ ମଧ୍ୟ ସେମାନଙ୍କର ଲେବର କାର୍ଡ ହେଉନାହିଁ ଏବଂ ଯେଉଁମାନଙ୍କର ଲେବର କାର୍ଡ ହୋଇଛି, ସେମାନେ ଏଥିରେ ବିବାହ/ମୃତ୍ୟୁ କିମ୍ବା ପିଲାଙ୍କ ପାଇଁ ଥିବା ଶିକ୍ଷା ସାହାଯ୍ୟ ପାଇପାରୁନାହାନ୍ତି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦଲାଲ ରାଜ୍ ଚାଲିଥିବାରୁ ପ୍ରକୃତ ହିତାଧିକାରୀଙ୍କୁ କୈାଣସି ସୁବିଧା ପାଇପାରୁନଥିଲା ବେଳେ ଲାଂଚ ଦେଇପାରୁଥିବା ଅଯୋଗ୍ୟ ଲୋକମାନେ ସବୁ ସୁବିଧା ହାତେଇ ନେଉଛନ୍ତି । ତେଣୁ ଜିଲ୍ଲା ଲେବର ଅଫିସ୍ ତରଫରୁ ନିୟମିତ ଭାବରେ ବସ୍ତିମାନଙ୍କରେ ଏଥିପାଇଁ କ୍ୟାମ୍ପ୍ କରାଯାଇ ଶ୍ରମିକମାନଙ୍କୁ ସୁବିଧା ଦିଆଯିବା ଦାବି କରି ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ତାରକ ବୈଦ୍ୟ, ବାବୁ ବୈଦ୍ୟ, ସଂଜୟ କୁମାର ନାୟକ, ମଙ୍ଗୁ ବିଶ୍ୱାଳ, ରଶ୍ମିତା ସେଠୀ, ବନିତା ଜୀ, ମିନାକ୍ଷୀ ଅଧିକାରୀ, ଟି. କବିତା, ମଧୁସ୍ମିତା ପଟ୍ଟନାୟକ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ଥିଲେ ।
