ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ଟିକାକରଣ, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ନୂଆଦିଲ୍ଲୀ : ଦେଶରେ ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ଦେଶବ୍ୟାପି ସୋମବାର ୮୦ଲକ୍ଷ ୯୫ହଜାର ୩୧୪ ଜଣଙ୍କୁ ଟିକା ଦିଆଯାଇ ଥିବାବେଳେ ରାଜ୍ୟରେ ୨ଲକ୍ଷ ୮୦ ହଜାର ୧୬୦ ଜଣଙ୍କୁ ଟିକାକରଣ କରାଯାଇଛି । ସୋମବାର ଦେଶରେ ରେକର୍ଡ ସଂଖ୍ୟକ ୮୦ ଲକ୍ଷରୁ ଅଧିକ ପାନ ଟିକାକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ କଠିନ ପରିଶ୍ରମ ପାଇଁ ସମ୍ମୁଖ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି।
ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନ ଅର୍ଥାତ ଆଜି ସାରା ଦେଶରେ ରେକର୍ଡ ସଂଖ୍ୟକ ୮୧ ଲକ୍ଷ ଡୋଜ ଭ୍ୟାକସିନ ଦିଆଯାଇଛି । ସରକାରୀ ତଥ୍ୟ ଅନୁସାରେ କେବଳ ସୋମବାର ହିଁ ଏହି ରେକର୍ଡ ତିଆରି ହୋଇଛି । ଆଗାମୀ ଦିନରେ ମଧ୍ୟ ଏହିଭଳି ଭାବେ ଟିକାକରଣ ଜାରି ରହିବ । ସୋମବାର ଦେଶରେ ହୋଇଥିବା ଟିକାକରଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍ କରି ମୋଦି ଲେଖିଛନ୍ତି, ‘ କୋଭିଡ୍ ୧୯ ବିରୁଦ୍ଧରେ ଲଢିବା ପାଇଁ ଭ୍ୟାକସିନ ହେଉଛି ଆମର ବ୍ରହ୍ମାସ୍ତ୍ର । ଟିକାକରଣ ଅଭିଯାନରେ ସାମିଲ ଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ । କୋଭିଡ-୧୯ ବିରୁଦ୍ଧରେ ଲଢୁଥିବା ସମସ୍ତ ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ମଧ୍ୟ ଅଭିନନ୍ଦନ।’ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ସାରା ଦେଶରେ ମାଗଣା ଟିକାକରଣ କରାଯାଉଛି । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ଘୋଷଣା କରିଥିଲେ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଟିକାକରଣ ଗତିକୁ ଆହୁରି ତୀବ୍ର କରାଯାଇଛି । କେନ୍ଦ୍ର ସରକାର ଏବେ ଟିକା କିଣି ରାଜ୍ୟ ସରକାରମାନଙ୍କୁ ଯୋଗାଇବେ । ଦେଶବ୍ୟାପୀ ଟିକାକରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଏହିକ୍ରମରେ ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ୮୦ ଲକ୍ଷ ୯୬ ହଜାର ୪୧୭ ଡୋଜ ଭ୍ୟାକସିନ ଦିଆଯାଇଛି । ଆଗାମୀ ଦିନରେ ଭ୍ୟାକସିନେସନକୁ ଆହୁରୀ ତୀବ୍ର କରାଯିବାକୁ ଲକ୍ଷ ରଖାଯାଇଛି । ଏହା ସହିତ ଭ୍ୟାକସିନ ଉତ୍ପାଦନକୁ ମଧ୍ୟ ଆହୁରି ବଢାଇବାକୁ ପ୍ରସ୍ତୁତି ଜାରି ରହିଛି ।
