ଚଳିତବର୍ଷର ଅମରନାଥ ଯାତ୍ରା ବାତିଲ୍
ଜମ୍ମୁ-କାଶ୍ମୀର : ମହାମାରୀ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ସରକାର ଚଳିତବର୍ଷ ଅମରନାଥ ଯାତ୍ରାକୁ ବାତିଲ୍ କରିଛନ୍ତି। ତେବେ ପାରମ୍ପରିକ ନୀତି ଅନୁଯାୟୀ ଅନ୍ୟ ସମସ୍ତ ପୂଜାର୍ଚ୍ଚନା ହେବ ବୋଲି କୁହାଯାଇଛି। ଏ ସମ୍ପର୍କରେ ଅମରନାଥ ତୀର୍ଥ ବୋର୍ଡ଼ ସହ ଆଲୋଚନା ପରେ ସେଠାକାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଉପ ରାଜ୍ୟପାଳ ତଥା ଅମରନାଥ ମନ୍ଦିର ବୋର୍ଡ଼ର ଅଧ୍ୟକ୍ଷ ମନୋଜ ସିହ୍ନା ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସକାଳେ ଏବଂ ସନ୍ଧ୍ୟାରେ ଅମରନାଥରେ ହେଉଥିବା ଆଳତୀ ଅନ୍ଲାଇନ୍ ମୋଡ୍ରେ ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ବାତିଲ ହେଲା ଅମରନାଥ ଯାତ୍ରା। ବାର୍ଷିକ ଅମରନାଥ ଯାତ୍ରା ବାତିଲ କରିବାକୁ ରାଜ୍ୟପାଳ ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ନେଇ ରାଜ୍ୟପାଳ କହିଛନ୍ତି ଯେ, ଲୋକଙ୍କ ଜୀବନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ । ତେଣୁ, ଜନସାଧାରଣଙ୍କ ସ୍ୱାର୍ଥରେ ଚଳିତ ବର୍ଷର ତୀର୍ଥଯାତ୍ରା ଆୟୋଜନ କରିବା ଅନୁଚିତ । ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନା ବିଷୟରେ ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି) ଅବଗତ ଏବଂ ଆମେ ଏହାକୁ ସମ୍ମାନ କରୁଛୁ । ଏ ନେଇ ଭକ୍ତଙ୍କ ପାଇଁ ସକାଳ ଏବଂ ସନ୍ଧ୍ୟା ଆଳତିର ଲାଇଭ ପ୍ରସାରଣ କରାଯିବ । ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡର ସିଇଓ ନୀତୀଶର କୁମାର କହିଛନ୍ତି, “ଆମେ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଦେଶରେ କୋଭିଡ୍ -୧୯ ସ୍ଥିତିର ମୂଲ୍ୟାଙ୍କନ କରିଛୁ। ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଉପରେ ବୋର୍ଡ ପକ୍ଷରୁ ଧ୍ୟାନ ଦିଆଯାଇଛି। ଏନେଇ ଭକ୍ତଙ୍କ ପାଇଁ ପୂର୍ବ ବର୍ଷ ଭଳି ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଶିବଲିଙ୍ଗର ପୂଜା ଏବଂ ଦର୍ଶନକୁ ଲାଇଭ ପ୍ରସାରଣ କରାଯିବ।
