୫-ଜି ନେଟୱାର୍କ ସଲ୍ୟୁସନ ପାଇଁ ରଣନୀତିକ ଭାଗିଦାରୀ କଲେ ଟିସିଏସ୍-ଏୟାରଟେଲ୍
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ଏବଂ ଦେଶର ସର୍ବବୃହତ ସଫ୍ଟୱେର୍ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଦେଶରେ ୫-ଜି ନେଟୱାର୍କ ସଲ୍ୟୁସନ ପାଇଁ ରଣନୀତିକ ଭାଗିଦାରୀ କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀରୁ ୫-ଜି ନେଟୱାର୍କ ଲଞ୍ଚ କରିବାକୁ ଏୟାରଟେଲ ଟିସିଏସର ସଲ୍ୟୁସନ ଟ୍ରାଏଲ ଆରମ୍ଭ କରିବ। କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପରୀକ୍ଷା କରାଯିବ। ଟାଟା ଗ୍ରୁପ୍ ଓ-ଆରଏଏନ ଆଧାରିତ ରେଡିଓ ଏବଂ ଏନଏସଏ / ଏସଏ କୋର ବିକଶିତ କରିଛି । ଯାହା ଏକ ସ୍ୱଦେଶୀ ନିର୍ମିତ ଟେଲିକମ୍ ଷ୍ଟେକ ସହ ଇଣ୍ଟିଗ୍ରେଟ କରାଯାଇଛି। ଏହି ସହଭାଗୀତାରେ, ଟିସିଏସ ଏହାର ଗ୍ଲୋବାଲ୍ ସିଷ୍ଟମ୍ ଇଣ୍ଟିଗ୍ରେସନ୍ ଏକ୍ସପଟାଇଜ ସହିତ ଉଭୟ ୩ଜିପିପି ଏବଂ ଓ-ଆରଏଏନ ମାନକ ପାଇଁ ଏଣ୍ଡ-ଟୁ-ଏଣ୍ଡ ସମାଧାନ ବିକାଶ କରିବାରେ ସାହାଯ୍ୟ କରିବ। ଚଳିତ ବର୍ଷ ଆରମ୍ଭରେ ନିଜର ଲାଇଭ ନେଟୱାର୍କରେ ୫-ଜି ପ୍ରଦର୍ଶନ କରିବାରେ ଦେଶର ପ୍ରଥମ କମ୍ପାନୀ ଥିଲା। କମ୍ପାନୀ ଟେଲିକମ୍ ବିଭାଗ ତରଫରୁ ଆବଣ୍ଟିତ ସ୍ପେକ୍ଟ୍ରମ୍ ସାହାଯ୍ୟରେ ବଡ ସହରରେ ୫-ଜି ଟ୍ରାଏଲ ଆରମ୍ଭ କରିଛି।
ଭାରତୀ ଏୟାରଟେଲର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ (ଭାରତ ଏବଂ ଦକ୍ଷିଣ ଏସିଆ) ଗୋପାବ ବିଟ୍ଠଲ କହିଛନ୍ତି, “ଟାଟା ଗ୍ରୁପ୍ ସହ ଭାଗିଦାରୀ କରି ଆମେ ଖୁସି। ଆମେ ଦେଶକୁ ୫-ଜି ଏବଂ ଏହା ସହ ଜଡିତ ଟେକ୍ନୋଲୋଜି ପାଇଁ ବିଶ୍ୱସ୍ତରୀୟ ହବ୍ ପ୍ରସ୍ତୁତ କରିବୁ। ଟିସିଏସ ଚିଫ ଅପରେଟିଙ୍ଗ ଅଫିସର ଏନ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି, “ଆମେ ୫-ଜି ଏବଂ ଏହା ସହ ଜଡିତ ସମ୍ଭାବନାକୁ ନେଇ ଉତ୍ସାହିତ। ଆମେ ଏକ ବିଶ୍ୱ ସ୍ତରୀୟ ନେଟୱାର୍କିଂ ଉପକରଣ ଏବଂ ସମାଧାନ ବ୍ୟବସାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ। ଭାରତରେ ସେବା ଆରମ୍ଭ ହେବା ମାତ୍ରେ, ବର୍ଷେ ମଧ୍ୟରେ ୪ କୋଟି ଲୋକ ୫-ଜି ସେବା ଗ୍ରହଣ କରିବେ ଏବଂ ଲୋକେ ୫-ଜି ପାଇଁ ଅଧିକ ବିଲ୍ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ନିକଟରେ ଏରିକ୍ସନ୍ ଏକ ରିପୋର୍ଟରେ ଏହି ଦାବି କରିଥିଲେ। ଏରିକ୍ସନଙ୍କ ରିପୋର୍ଟ ଅନୁଯାୟୀ, ୫-ଜି ସେବା ଆରମ୍ଭ ହେବାର ବର୍ଷେ ମଧ୍ୟରେ ୪ କୋଟି ଲୋକ ଏହି ସେବା ବ୍ୟବହାର କରିବା ଆରମ୍ଭ କରିବେ। ରିପୋର୍ଟ ଅନୁଯାୟୀ, ପ୍ରାୟ ୬୭ ପ୍ରତିଶତ ଲୋକ ୫-ଜି ସେବା ଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି। ଆହୁରି ମଧ୍ୟ, ୫୦ ପ୍ରତିଶତ ଲୋକ ଏହି ସେବା ପାଇଁ ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି। ୭୦ ପ୍ରତିଶତ ଲୋକ ଆଶା ରଖିଛନ୍ତି ଯେ ୫-ଜି ର ସ୍ପିଡ଼ ଭଲ ରହିବ।
