କଡ଼ାଇ ମଶରୁମ
କଡ଼ାଇ ମଶରୁମ ଏକ ପରଫେକ୍ଟ ରେସିପି। ମସଲାଯୁକ୍ତ ଗ୍ରେଭୀରେ ତିଆରି କଡ଼ାଇ ମଶରୁମର ସ୍ବାଦ ପିଲାଙ୍କ ଠାରୁ ବଡ଼ ଯାଏ ସମସ୍ତଙ୍କୁ ପସନ୍ଦ ଆସିବ। ଆସନ୍ତୁ ଜାଣିବା କିପରି କଡ଼ାଇ ମଶରୁମ ତିଆରି କରିବେ।
ଆବଶ୍ୟକ ସାମଗ୍ରୀ :
୫୦୦ ଗ୍ରାମ ବଟନ ମଶରୁମ, ୩ଟି କଟା ପିଆଜ, ୧ଟି କଟା କ୍ୟାପସିକମ, ୨ ଚାମଚ ଅଦା ରସୁଣ ପେଷ୍ଟ, ୧ ଟେବଲସ୍ପୁନ ଟମାଟୋ ପ୍ୟୁରି, ଫ୍ରେଶ କ୍ରିମ, ଲଙ୍କା, ଜିରା, ଧନିଆ, ହଳଦୀ ଗୁଣ୍ଡ, ମିଟ ମସଲା, ଗରମ ମସଲା, କଞ୍ଚା ଲଙ୍କା, ଧନିଆ ପତ୍ର, ତେଲ ଓ ସ୍ବାଦାନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପ୍ୟାନରେ ତେଲ ଗରମ କରି ପିଆଜ, କ୍ୟାପସିକମ ପକାଇ କିଛି ସମୟ ଭାଜନ୍ତୁ। ଏହାକୁ ବାହାର କରି ପ୍ୟାନରେ ମଶରୁମ ପକାଇ ୫ ମିନିଟ ଭାଜନ୍ତୁ। ଏହାକୁ ବି ବାହାରକୁ ବାହାର କରନ୍ତୁ। ପ୍ୟାନରେ ଆଉ ତେଲ ପକାଇ କଟା ପିଆଜ ହାଲୁକା ବ୍ରାଉନ ହେବା ଯାଏ ଭାଜନ୍ତୁ। ଏଥିରେ ଅଦା ରସୁଣ ପେଷ୍ଟ ପକାଇ ଫ୍ରାଏ କରନ୍ତୁ। ଏଥିରେ ଟମାଟୋ ପ୍ୟୁରି ପକାଇ ୩ ମିନିଟ ଭାଜନ୍ତୁ। ଲୁଣ, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ମିଟ ମସଲା, ଗରମ ମସଲା ପକାଇ ଭଲ ଭାବେ ଗୋଳାନ୍ତୁ। ଏଥିରେ ଅଳ୍ପ ପାଣି ଦେଇ ୫ ମିନିଟ ଭାଜନ୍ତୁ। କସୁରୀ ମେଥୀ ଓ କ୍ରିମ ପକାଇ ଫ୍ରାଏ କରନ୍ତୁ। ଏବେ ଏଥିରେ ଭଜା ପିଆଜ, କ୍ୟାପସିକମ ଓ ମଶରୁମ ପକାଇ ଭଲ ଭାବେ ମିଶାନ୍ତୁ। ଏଭଳି ୩ ରୁ ୪ ମିନିଟ ସିଝିବାକୁ ଛାଡ଼ନ୍ତୁ। ତାଜା ଧନିଆ ପତ୍ରରେ ସଜାଇ ଗରମ ଗରମ ପରଷନ୍ତୁ।
