ଆଜି ବିଶ୍ବ ପଖାଳ ଦିବସ : ଜାଣନ୍ତୁ ପଖାଳ କେତେ ପ୍ରକାର ଓ ସାଙ୍ଗରେ କ’ଣ ଖାଇବେ ?
ଆଜି ବିଶ୍ବ ପଖାଳ ଦିବସ। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ। ପିଲାଠୁ ବୁଢା ସମସ୍ତେ ଏହାକୁ ଖାଇବାକୁ ପସନ୍ଦ ବି କରନ୍ତି । ପ୍ରତିଟି ଓଡିଆଙ୍କ ସ୍ୱତନ୍ତ୍ର ପରିଚୟ ପଖାଳ । ଏମିତିକି ଓଡ଼ିଆଙ୍କ ଇଷ୍ଟଦେବତା ବ୍ୟଞ୍ଜନପ୍ରିୟ କାଳିଆ ଠାକୁର ବି ଭାରି ପଖାଳ ଲୋଭୀ । ପଖାଳ ନଖାଇଲେ କାଳିଆକୁ ନିଦ ଆସେନି । ଏମିତିକି ଡାଏଟିସିଆନ୍ କୁହନ୍ତି, ଓଡ଼ିଆଙ୍କ ପଖାଳ ଓ ତୋରାଣି ଶରୀର ଲାଗି ଭାରି ହିତକାରକ ।
ପଖାଳ…ନାଁ ଶୁଣିବା ମାତ୍ରେ ପାଟିରୁ ବାହାରି ଆସେ ଲାଲ । ଆସିବା ବି ସ୍ଵାଭାବିକ । ଆମେ ଓଡ଼ିଆ, ଭାରି ବଢିଆ । ସକାଳୁ ସଂଧ୍ୟା…କଂସେ ପଖାଳକୁ ଟିକେ ପୋଡାପୋଡି ହେଲେ ଆମର ଜମିଯାଏ ପାଗ । ତା’ ସାଙ୍ଗକୁ ପିଆଜ ଫଡ଼େକୁ ରସୁଣ ପାଖୁଡ଼େ…ଟିକେ ସୋରିଷ ତେଲକୁ ହାଲକା ବାଡିଆ ଲଙ୍କା । ଓଃ…ସେ କଥା ଆଉ କିଏ ପଚାରେ ? ସାଧାକୁ ଆମିଷ…ଯିଏ ଯେମିତି ପାଏ ସିଏ ସେମିତି ଖାଏ । ଓଡ଼ିଆଙ୍କ ମନପ୍ରାଣରେ ଥାଏ କଂସେ ପଖାଳ । ଖାସ୍ ସେଇଥି ଲାଗି ତ ଆଜି ମାର୍ଚ୍ଚ ୨୦କୁ ପାଳନ କରାଯାଉଛି ବିଶ୍ଵ ପଖାଳ ଦିବସ ।
ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା। ପଖାଳ ହେଉଛି ଓଡ଼ିଆଙ୍କର ପ୍ରିୟ ଖାଦ୍ୟ। ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ। ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟ କରାଇବାକୁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ପାଳନ କରାଯାଇଥାଏ।
ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ପଖାଳ ଖାଇବା ଜମିଥାଏ। ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି। ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ। ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି । ଏହିଦିନରେ ବଡ଼ ବଡ଼ ହୋଟେଲରେ ସ୍ବତନ୍ତ୍ର ମେନୁ ପରସା ଯାଉଛି।
ଆସନ୍ତୁ ଜାଣିବା କେତେ ପ୍ରକାର ପଖାଳ ଓ କେମିତି କରିବା ?
ବାସି ପଖାଳ :
ପଖାଳ କହିଲେ ସାଧାରଣତଃ ବାସି ପଖାଳକୁ ହିଁ ଆମେ ବୁଝନ୍ତି । କାରଣ ପ୍ରତି ରାତିରେ ଘରେ ବଳିଥିବା ଥଣ୍ଡା ଭାତ ବା ବଳକା ଭାତରେ ପାଣି ଦେଇ ୧୨ ଘଣ୍ଟାରୁ ଅଧିକ ସମୟ ରଖିବା ମାତ୍ରେ ତାହା ହୋଇଯାଏ ବାସି ପଖାଳ । ଆଉ ସେଥିରେ ଟିକେ ଦହି କିମ୍ୱା ଲେମ୍ୱୁ ନ ପକାଇଲେ ବି ଏହା ଏତେ ସ୍ୱାଦିଷ୍ଟ ଥାଏ ଯେ ଖାଇବା ଲୋକ ହିଁ ତାର ମଜା ଜାଣିଛି । ଆଉ ଯଦି ଖାଇନାହାନ୍ତି ତେବେ ଏବେ ହିଁ ଖାଆନ୍ତୁ ।
ଦହି ପଖାଳ :
ନଡ଼ିଆ, ଲେମ୍ବୁ, ଆମ୍ବ, କାକୁଡ଼ି, କଞ୍ଚା ଲଙ୍କା, ପୁଦିନାପତ୍ର, ମଲ୍ଲୀ ଫୁଲ ପାଣି, ଭୃସଙ୍ଗ ପତ୍ର, କମଳା ଚୋପା ଓ ପତ୍ର, ଆମ୍ବ କସି ଅଦା ଏଭଳି ୧୨ ପ୍ରକାରର ଜିନିଷ ବ୍ୟବହାର କରାଯାଇ ପ୍ରସ୍ତୁତ ହୁଏ ଦହି ପଖାଳ। ଆଉ ତା ସାଙ୍ଗକୁ ବିଭିନ୍ନ ପ୍ରକାରର ଭଜା । ଯେମିତିକି ବାଇଗଣ ଭଜା, କଦଳୀ ଭଜା, ସଜନା ଶାଗ ଭଜା, କୋଶଳା ଶାଗ ଭଜା ସହ ବଡ଼ିଚୁରା, ବାଈଗଣ ଭର୍ତ୍ତା, ପାମ୍ପଡ, ଆଳୁ, ସଜନା ଛୁଇଁଠାରୁ ଆରମ୍ଭ କରି ମାଛ ଭଜା….ଓଃ ପାଗ ପୂରା ଜମିଯିବ ।
ସଜ ପଖାଳ :
ଗରମ ଭାତରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ ବୋଲି କୁହାଯାଏ । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସଜ ପଖାଳ ଖାଇଲେ କିଛି ଅସୁବିଧା ନାହିଁ । ସଜ ପଖାଳରେ କାଗେଜି ଲେମ୍ବୁ ଚିପୁଡି କିମ୍ବା ଦହି ଗୋଳାଇ ଖାଇଲେ ଏହା ସ୍ୱାଦିଷ୍ଟ ଲାଗିଥାଏ । ଏଥିରେ ଅଦା ଛେଚା ଓ ପୁଦିନାପତ୍ର ମଧ୍ୟ ପକାଇପାରିବେ ।
ପଖାଳ ସାଙ୍ଗରେ ଖାଇବେ କ’ଣ ?
ପଖାଳ…ଇଏ ଏମିତି ଏକ ଖାଇବା ଯାହା ପ୍ରତି ଆଇଟମ୍ ସହ ତାଳ ମିଶାଇପାରେ । ହେଲେ ବଢି ଚୁରା, ଟମାଟୋ ପୋଡା, ବାଇଗଣ ଭରତା, ଆଳୁ ଚକଟା, ସଜନା ଛୁଇଁ ଭଜା, ଜହ୍ନି ପୋଡା, ଭେଣ୍ଡି ଭଜା, ଶାଗ ଭଜା, ଆମ୍ୱଲ ଚକଟା, ତେନ୍ତୁଳି ଖଟା, ଚୁନା ମାଛ ରାଇ, ଛତୁ ବେସର, କାକୁଡି, ଆମ୍ବ, ରସୁଣ, ପିଆଜ, କଞ୍ଚା ଲଙ୍କା, ଆମ୍ବ ଚଟଣି ଥିଲେ ଖାଇବା ଜମି ଯାଏ । ସେଇଥି ଲାଗି ତ ଗଣ୍ଡେ ପଖାଳ ପେଟରେ ପଡିଗଲେ ମୁଣ୍ଡ ପୂରା ଶାନ୍ତି । ତେବେ ଡେରି କାହିଁକି ଏବେ ହିଁ ଖାଆନ୍ତୁ ପଖାଳ ।
