ସିଏନବିଟି ପରିଦର୍ଶନ କଲେ ଆରଡିସି, ଜିଲ୍ଲାପାଳ ଓ କମିଶନର ସଂଯୁକ୍ତ ରାସ୍ତାର ନବୀକରଣ କାର୍ଯ୍ୟ ଅନୁଧ୍ୟାନ
କଟକ : ଖାନନଗରସ୍ଥିତ କଟକ ନେତାଜୀ ବସ୍ ଟର୍ମିନାଲ(ସିଏନବିଟି)ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରିବା ସକାଶେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ଏନେଇ ଆରଡିସି ସୁୁରେଶ ଚନ୍ଦ୍ର ଦଲାଇ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଅପରାହ୍ନରେ ସିଏନବିଟି ପରିଦର୍ଶନ କରିବା ସହିତ ଖାନନଗର ମଲାଚଣ୍ଡିଆ ଛକରୁ ପ୍ରେସ ଛକ ନିକଟ ମାଛ ମାର୍କେଟ ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ଓ ତା’ର ଉଭୟ ପାଶ୍ୱର୍ର୍ ଅନୁଧ୍ୟାନ କରିଛନ୍ତି । ସିଏନବିଟିର ପ୍ରସ୍ଥାନ ଦ୍ୱାରରୁ ଯେପରି ସୁରୁଖୁରୁରେ ବସ୍ ଚଳାଚଳ କରିପାରିବ ସେଥିପାଇଁ ୩ ଜଣ ଅଧିକାରୀ ସରଜମିନ ତଦାରଖ କରିଥିଲେ । ବିଶେଷକରି ଖାନନଗର ଠାରେ ହେବାକୁ ଥିବା ଚକ୍ରାକୃତି ପଥର ନକ୍ସା ସହ ସରଜମିନ ସ୍ଥିତିକୁ ପରଖିବା ସହ ସୂଚାରୁରୂପେ ରାସ୍ତାର ପ୍ରଶସ୍ତିକରଣକୁ ଶେଷ କରିବା ପାଇଁ ଉପସ୍ଥିତ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି, ସିଏନବିଟିର ବାହାର ପଟ ରାସ୍ତାକୁ କିପରି ପ୍ରଶସ୍ତ କରାଯିବ ଏବଂ ଜାତୀୟ ରାଜପଥ ସହିତ କିପରି ସଂଯୋଗ କରାଯିବ ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଆରଡିସି ଶ୍ରୀ ଦଳାଇ ଏକ ବୈଠକ କରି ଉପୁଜିଥିବା ସମସ୍ୟାର ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି, ସିଏନବିଟିର ଭିତର ପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିିଛି । କେବଳ ଖାନନଗର ମଶାଣି ଛକରୁ ପ୍ରେସ ଛକ ରାସ୍ତାର ପ୍ରଶସ୍ତିକରଣ କରାଯିବା ପରେ ଖୁବ ଶୀଘ୍ର ସିଏନବିଟିକୁ କାର୍ଯ୍ୟକ୍ଷମ କରାଯିବ ।
