ମୋ ୱାର୍ଡ ଅଭିଯାନ: ବସ୍ତିରେ ରାତି କାଟିଲେ ମେୟର
କଟକ : କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ମୋ ୱାର୍ଡ ଅଭିଯାନ ଗତକାଲିଠାରୁ ଆରମ୍ଭ ହୋଇଛି । ମେୟର ସୁବାସ ସିଂହ ଗତକାଲି ରାତିରେ ୧ ନମ୍ବର ୱାର୍ଡ ଚହଟାସ୍ଥିତ ଗାୟତ୍ରୀ ମନ୍ଦିରରେ ବରିଷ୍ଠ ନାଗରିକମାନଙ୍କୁ ନେଇ ପ୍ରଥମେ ଏକ ବୈଠକରେ ଡ୍ରେନ ସମସ୍ୟା, ରାସ୍ତାଘାଟ ମରାମତି, ସ୍ୱଚ୍ଛତା, ଡାକ୍ତରଖାନା, ନୂତନ କଲେଜ ପ୍ରତିଷ୍ଠା, ସ୍କୁଲ ଓ ଖେଳପଡିଆ ଆଦିର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଏମସି ଡେପୁଟି କମିଶନର ଅଜୟ ମହାନ୍ତି, ସ୍ଥାନୀୟ କର୍ପୋରେଟର ଭାନୁ ସେନାପତି, ୱାର୍ଡ ସଭାପତି ବୀରେନ ବେହେରା, ଦୁର୍ଗାପୂଜା କମିଟି ସଭାପତି ପଂଚାନନ ସେନାପତି, ବରିଷ୍ଠ ନାଗରିକ ହେମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରେ ମେୟର ବନ୍ଧତଳ ବସ୍ତି ଏବଂ ବିଡାନାସୀର ବିଭିନ୍ନ ସାହି ବୁଲିଥିଲେ । ଶେଷରେ ବନ୍ଧତଳ ବସ୍ତିରେ ଭୋଜନ କରିବା ସହ ରାତ୍ରି ଯାପନ କରିଥିଲେ । ସେହିପରି ଆଜି ସକାଳୁ ବିଡାନାସୀ ବଉଳ ଛକରେ ଥିବା ହାଜିରାକୁ ମେୟର ତଦାରଖ କରିଥିଲେ । ଏଥିସହ ୱାର୍ଡରେ ପରିମଳ ବ୍ୟବସ୍ଥାର ସ୍ଥିତି ଓ ଅଳିଆ ସଂଗ୍ରହ ଠିକ ଭାବେ ହେଉଛି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ । ପୂର୍ବାହ୍ନରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏଥିରେ ସାମିଲ ହୋଇ ଡ୍ରେନ ନିର୍ମାଣ କାମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ପରେ ୱାର୍ଡର ସମସସ୍ତ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଓ ଡାକ୍ତରଖାନାକୁ ବୁଲି କାର୍ଯ୍ୟ ତଦାରଖ କରିଥିଲେ । ଏହାପରେ ମେୟର ଶ୍ରୀ ସିଂହ ସ୍ୱୟଂ ସହାୟିକା ଗୋଷ୍ଠୀ, ସ୍ଥାନୀୟ ଯୁବକ ଓ ସ୍ପୋର୍ଟସ୍ କ୍ଲବ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କୁ ନେଇ ପୃଥକ ପୃଥକ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଆସନ୍ତା କାଲି ସକାଳୁ ବରିଷ୍ଠ ନାଗରିକଙ୍କ ସହିତ ପ୍ରାତଃ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
