ସେନାରେ ଯୋଗଦାନ ପରେ ପ୍ରଥମ ଥର ପାଇଁ ଘରକୁ ଫେରିଲେ ରାୟଗଡାର ପ୍ରଥମ ମହିଳା ଯବାନ
ରାୟଗଡା : ରାୟଗଡ଼ା ଜିଲାର ପ୍ରଥମ ମହିଳା ସଶସ୍ତ୍ର ଯବାନ ଭାବେ ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ଗ୍ରାମର ଝିଅ କୁମାରୀ ରଶ୍ମିତା କୁମ୍ଭାର ଆଜି ସେନାରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାୟଗଡ଼ା ମାଟିକୁ ଫେରିଛନ୍ତି। ତାଙ୍କୁ ଗେଟିପଡ଼ା ଗ୍ରାମ ଓ ରାୟଗଡ଼ା ବାସୀ ବଡ ଆଡ଼ମ୍ବରରେ ରାୟଗଡ଼ା ଷ୍ଟେସନରୁ ବ୍ୟାଣ୍ଡ ବାଜା ସହ ଫୁଲ ତୋଡା ଦେଇ ସ୍ଵାଗତ କରିଥିଲେ।
ସୂଚନା ଅନୁଯାୟୀ ସେ ୨୦୧୯ ମସିହାରେ ଭାରତର ସଶସ୍ତ୍ର ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ। ରାୟଗଡ଼ା ମାଟିର ଝିଅ ଯିଏ ଦେଶ ସୁରକ୍ଷା ପାଇଁ ପିଲା ବେଳୁ ଲକ୍ଷ୍ୟ ରଖି ଆଜି ସଫଳତା ପାଇଛନ୍ତି। ତାଙ୍କ ପାଇଁ ରାୟଗଡ଼ା ଆଜି ଗର୍ବିତ ବୋଲି ରାୟଗଡ଼ା ଗେଟିପଡ଼ା ଗ୍ରାମର ସନ୍ଧ୍ୟା ପୁଲାକା କହିଛନ୍ତି। ରଶ୍ମି କହିଛନ୍ତି ଯେ ତାଙ୍କର ଏହି ସଫଳତା ପଛରେ ଦୃଢ଼ ନିଷ୍ଠା ଓ ପରିବାରର ସହଯୋଗ ମୁଖ୍ୟ କାରଣ। ସେ ମହିଳା ଯୁବ ପିଢ଼ିକୁ ଏଭଳି ଲକ୍ଷ୍ୟ ରଖି ସେନାରେ ଯୋଗଦେଇ ଦେଶ ସେବା କରିବା ପାଇଁ ଆହ୍ବାନ ଦେଇଛନ୍ତି। ତାଙ୍କୁ ଏଭଳି ସମ୍ମାନ ରାୟଗଡ଼ା ବାସୀ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।
