ରାୟଗଡ଼ାରେ ବସ୍ ଦୁର୍ଘଟଣା : ଜଣେ ମୃତ, ୩୦ ଆହତ
ରାୟଗଡ଼ା : ରାୟଗଡ଼ା ଜିଲା ଚାନ୍ଦିଲି ଥାନା ହାତୀଗୁମ୍ଫା ନିକଟରେ ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିଛି ଗୁରୁତର ହୋଇଥିବାରୁ ସେମାନଙ୍କୁ କୋରାପୁଟ ଓ ବ୍ରହ୍ମପୁର ସ୍ଥାନାନ୍ତର କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।
ସୂଚନା ଯେ, ୪୦ ଜଣ ଯାତ୍ରୀଙ୍କୁ ନେଇ ବସଟି ପାରଳାଖେମୁଣ୍ଡି ରୁ ଉମରକୋଟ ଯାଉଥିଲା । ଉମରକୋଟ ଯାଉଥିବା ସାଇକୃପା ନାମକ ଏକ ବସ୍ ରାତି ୧୧.୪୫ ସମୟରେ ରାୟଗଡ଼ା ଠାରୁ ୩୦ କିଲୋମିଟର ଦୂର ହାତୀଖମ୍ବ ଗାଁ ନିକଟରେ ଓଲଟି ପଡିଥିଲା। ବସ୍ ଦୃତ ଗତିରେ ଆସୁଥିବା ବେଳେ ଏକ ଗାଇ ହଠାତ୍ ଆସି ଯିବା କାରଣରୁ ନିୟନ୍ତ୍ରଣ ହରାଇବା ସହିତ ଓଲଟି ପଡିଥିଲା। ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀ ମଧ୍ୟରେ ୩୦ ଜଣ ଆହତ ହୋଇଥିଲେ। ଏଭଳିକି ଘଟଣା ସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଦମକଳବାହିନୀ ଓ ପୋଲିସ ପହଞ୍ଚି ସମସ୍ତ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ଅନ୍ଧାରରେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଥିଲା।
