ଆଜି ରାୟଗଡ଼ାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ରାୟଗଡ଼ା : ଆଜି ରାୟଗଡ଼ାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସମଗ୍ର ଜିଲାରେ ଗଡ଼ିବ ୫୨ଟି ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିବେ । ଏଥିପାଇଁ ସ୍ଥାନୀୟ ଜିସିଡି ପଡ଼ିଆରେ ଏକ ଭବ୍ୟ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଶେଷ ହୋଇଛି ।
ଜିଲାର ବିଭିନ୍ନ ସ୍ଥାନରୁ ହଜାର ସଂଖ୍ୟାରେ ଲୋକ ଏହି ଉଦଘାଟନ ସମାରୋହରେ ଯୋଗଦାନ କରିବେ । ଲୋକଙ୍କ ଯାତାୟତ ଓ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଲାଗିଛନ୍ତି ସରକାରୀ କର୍ମଚାରୀ । ଏଣେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢ଼ୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଏଥିପାଇଁ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଜିଲାପାଳ ସ୍ୱଧା ଦେବ ସିଂ ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା । ତାଙ୍କ ସହିତ ଅତିରିକ୍ତ ଜିଲାପାଳ ଭାସ୍କର ରୟତ, ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଆଞ୍ଚଳିକ ପରିବହନ ଅଧିକାରୀ ଶିବ ପ୍ରସାଦ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ। ୫୨ଟି ବସ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪୦ଟି ବସ୍ ଚଳାଚଳ କରିବ। ୧୩୦ଟି ପଞ୍ଚାୟତ ଏହି ୪୦ଟି ବସ୍ ସେବା ପ୍ରଦାନ କରିବ। ଏହାଦ୍ଵାରା ଲୋକଙ୍କ ଗମନାଗମନ ପାଇଁ ସୁବିଧା ହେବ ବୋଲି ଜିଲାପାଳ କହିଛନ୍ତି ।
