ଦ୍ରୁତ ୪୫୦ ଓ୍ଵିକେଟ୍ ନେବାରେ ପ୍ରଥମ ଭାରତୀୟ ବୋଲର ଅଶ୍ଵିନ
ଭାଙ୍ଗିଲେ ଅନିଲ କୁମ୍ବଲେଙ୍କ ରେକର୍ଡ, ସାମିଲ୍ ହେଲେ କିମ୍ବଦନ୍ତୀ ବୋଲର ମୁରଲୀଧରଣଙ୍କ କ୍ଲବରେ
ନାଗପୁର : ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ଆରମ୍ଭ ହୋଇଛି । ଏହି ମ୍ୟାଚରେ ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଏକ ରେକର୍ଡ କରିଛନ୍ତି।
ଅଶ୍ଵିନ ଅଷ୍ଟ୍ରେଲିଆ ବ୍ୟାଟର ଆଲେକ୍ସ କେରିଙ୍କୁ ଆଉଟ୍ କରି ଟେଷ୍ଟ କ୍ରିକେଟ୍ରେ ୪୫୦ ଓ୍ଵିକେଟ୍ ପୂରଣ କରିଛନ୍ତି। ଏଥିସହ ଦ୍ରୁତ ୪୫୦ ଓ୍ଵିକେଟ୍ ନେବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଅନିଲ କୁମ୍ବଲେଙ୍କ ନାମରେ ଥିଲା। କୁମ୍ବଲେ ୯୩ଟି ମ୍ୟାଚ୍ରେ ଏହି ସଫଳତା ହାସଲ କରିଥିବା ବେଳେ ଅଶ୍ଵିନ ୮୯ଟି ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଛନ୍ତି। ତେବେ ଦ୍ରୁତ ୪୫୦ ଓ୍ଵିକେଟ୍ ନେବାର ବିଶ୍ଵ ରେକର୍ଡ ଶ୍ରୀଲଙ୍କାର ପୂର୍ବତନ ମହାନ ସ୍ପିନର ମୁଥେୟା ମୁରଲୀଧରଣଙ୍କ ନାମରେ ରହିଛି। ସେ ୮୦ଟି ମ୍ୟାଚ୍ରେ ଏହି କୀର୍ତ୍ତିମାନ ରଚିଥିଲେ। ଅଶ୍ଵିନ ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହିତ ଅଶ୍ଵିନ ଟେଷ୍ଟ କ୍ରିକେଟ୍ରେ ୪୫୦ ଓ୍ଵିକେଟ୍ ଏବଂ ୩୦୦୦ ରନ କରିବାରେ ଏସିଆର ପ୍ରଥମ ଖେଳାଳି। ଅଶ୍ଵିନ ଟେଷ୍ଟ କ୍ୟାରିୟରରେ ଏ ପର୍ଯ୍ୟନ୍ତ ୮୯ଟି ମ୍ୟାଚ୍ ଖେଳି ୪୫୧ ଓ୍ଵିକେଟ୍ ନେବା ସହ ୩୦୪୩ ରନ କରିଛନ୍ତି।
ଟେଷ୍ଟ କ୍ରିକେଟ୍ରେ ଦ୍ରୁତ ୪୫୦ ଓ୍ଵିକେଟ୍ :
ମୁଥେୟା ମୁରଲୀଧରଣ (ଶ୍ରୀଲଙ୍କା) – ୮୦ ଟେଷ୍ଟ ମ୍ୟାଚ୍
ରବିଚନ୍ଦ୍ରନ ଅଶ୍ଵିନ (ଭାରତ) – ୮୯ ଟେଷ୍ଟ ମ୍ୟାଚ୍
ଅନିଲ କୁମ୍ବଲେ (ଭାରତ) – ୯୩ ଟେଷ୍ଟ ମ୍ୟାଚ୍
ଗ୍ଲେନ ମ୍ୟାକଗ୍ରା (ଅଷ୍ଟ୍ରେଲିଆ) – ୧୦୦ ଟେଷ୍ଟ ମ୍ୟାଚ୍
ଶେନ ଓ୍ଵର୍ଣ୍ଣ (ଅଷ୍ଟ୍ରେଲିଆ) – ୧୦୧ ଟେଷ୍ଟ ମ୍ୟାଚ୍
ନାଥନ ଲିୟନ (ଅଷ୍ଟ୍ରେଲିଆ) – ୧୧୨ ଟେଷ୍ଟ ମ୍ୟାଚ୍
