ବର୍ଡର୍-ଗାଭାସ୍କର୍ ସିରିଜ : କୋହଲିଙ୍କ ନିକଟରେ ଆଉ ଏକ ମାଇଲଖୁଣ୍ଟ ସୁଯୋଗ
ନାଗପୁର : ମହାରାଷ୍ଟ୍ରର ନାଗପୁର ‘ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍’ରେ ‘ବର୍ଡର୍-ଗାଭାସ୍କର୍ ସିରିଜ’ର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଭାରତ ୧ ଓ୍ବିକେଟ ହରାଇ ୭୭ ରନ କରିବା ସହ ଅଷ୍ଟ୍ରେଲିଆଠାରୁ ୧୦୦ ରନ ପଛରେ ରହିଛି ।
ଏହି ଭାରତର ତାରକା ବ୍ୟାଟର ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜ ଟେଷ୍ଟ୍ ଶୃଙ୍ଖଳା ଅବସରରେ ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁବା ସୁଯୋଗରେ ରହିଛନ୍ତି। ଭାରତର ରନ୍ ମେସିନ୍ ଭାବେ ପରିଗଣିତ କୋହଲି ଆଉ ୩୧୮ ରନ୍ କରିପାରିଲେ ବର୍ଡର-ଗାଭାସ୍କର ସିରିଜରେ ୨୦୦୦ ରନ୍ ପୂରଣ କରିପାରିବେ। କୋହଲି ୨୦ ଟେଷ୍ଟ୍ରୁ ଏବେ ସୁଦ୍ଧା ୧୬୮୨ ରନ୍ କରିସାରିଛନ୍ତି। ଯଦି ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ଶୃଙ୍ଖଳାରେ ୩୧୮ ରନ୍ କରିନିଅନ୍ତି, ତାହାଲେ ସେ ଚତୁର୍ଥ ଭାରତୀୟ ଭାବେ ବର୍ଡର-ଗାଭାସ୍କର ଟ୍ରଫିରେ ୨୦୦୦ ରନ୍ ମାଇଲଖୁଣ୍ଟ ଛୁଇଁବେ। କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ଟେଷ୍ଟ୍ରୁ ୭ ଶତକ ଏବଂ ୫ ଅର୍ଦ୍ଧଶତକ ନିଜ ନାମରେ ରଖିଛନ୍ତି।
ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର (୩୨୬୨ ରନ୍, ୩୪ ଟେଷ୍ଟ୍, ୯ ଶତକ, ୧୬ ଅର୍ଦ୍ଧଶତକ) ଏହି ତାଲିକାର ଶୀର୍ଷରେ ରହିଥିଲା ବେଳେ ଭିଭିଏସ୍ ଲକ୍ଷ୍ମଣ (୨୪୩୪ ରନ୍, ୨୯ ଟେଷ୍ଟ୍) ଏବଂ ରାହୁଲ ଦ୍ରାବିଡ (୨୧୪୩ ରନ୍, ୩୨ ଟେଷ୍ଟ୍) ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ତେବେ କୋହଲିଙ୍କ ବ୍ୟତୀତ ଅନ୍ୟତମ ଭାରତୀୟ ଚେତେଶ୍ବର ପୂଜାରା ମଧ୍ୟ ବର୍ଡର-ଗାଭାସ୍କର ସିରିଜରେ ୨୦୦୦ ରନ୍ ପୂରଣ କରିବାର ନିକଟତର ରହିଛନ୍ତି। ସେ ୨୦ ଟେଷ୍ଟରୁ ୧୮୯୩ ରନ୍ (୫ ଶତକ, ୧୦ ଅର୍ଦ୍ଧଶତକ) କରିଛନ୍ତି। ୨୦୦୦ ରନ୍ ପୂରଣଠୁ ସେ ମାତ୍ର ୧୦୭ ରନ୍ ଦୂରରେ ରହିଛନ୍ତି।
