ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟ : ପ୍ରଥମ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୧୭୭ରେ ଅଲଆଉଟ, ଭାରତ ୭୭/୧
ନାଗପୁର : ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତର ଦବଦବା ଦେଖିବାକୁ ମିଳିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦଳ ଆଶାନୁରୂପ ପ୍ରଦର୍ଶନ କରିଛି। ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନଙ୍କ ଘାତକ ବୋଲିଂ ପରେ ବ୍ୟତିଙ୍ଗରେ ଦମ୍ ଦେଖାଇଲେ ରୋହିତ ଶର୍ମା ।
ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍ ହୋଇଛି। ଜବାବରେ ଭାରତୀୟ ଦଳ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଏକ ଓ୍ଵିକେଟ୍ ହରାଇ ୭୭ ରନ କରିଛି। କ୍ରିଜରେ ଅଧିନାୟକ ରୋହିତ ଶର୍ମା(୫୬ ରନ) ଏବଂ ରବିଚନ୍ଦ୍ରନ ଅଶ୍ଵିନ(୦) ଅପରାଜିତ ଅଛନ୍ତି। ଅଷ୍ଟ୍ରେଲିଆର ବ୍ୟାଟିଂରେ ରବୀନ୍ଦ୍ର ଜାଡେଜା ଶାଣିତ ବୋଲିଂ କରି ୫ ଓ୍ଵିକେଟ୍ ନେଇଛନ୍ତି। ରବିଚନ୍ଦ୍ରନ ଅଶ୍ଵିନଙ୍କୁ ୩ଟି ଓ୍ଵିକେଟ୍ ମିଳିଛି। ଦୁଇ ସ୍ପିନର ଘାତକ ବୋଲିଂ ଯୋଗୁଁ ପ୍ରଥମ ଦିନର ଖେଳ ଭାରତ ନାମରେ ରହିଛି।
ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ଅଷ୍ଟ୍ରେଲିଆ। ତେବେ ଦଳର ଦୁଇ ଓପନର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ମାତ୍ର ୨ ରନ୍ରେ ଅଷ୍ଟ୍ରେଲିଆ ଟିମ୍ର ପ୍ରଥମ ଓ୍ୱିକେଟ୍ ପଡିଥିଲା । ଏହାପରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଆଉ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରିନଥିଲା। ଫଳରେ ପୁରା ଟିମ୍ ୬୩.୫ ଓଭରରେ ୭୭ ରନ୍ରେ ଅଲଆଉଟ୍ ହୋଇଛି। ଭ୍ରମଣକାରୀ ଦଳ ପକ୍ଷରୁ ଷ୍ଟିଭ୍ ସ୍ମିଥ ୩୭ ରନ, ଆଲେକ୍ସ କେରି ୩୬ ରନ ଏବଂ ହ୍ୟାଣ୍ଡସ୍କମ୍ବ ୩୧ ରନ କରିଥିଲେ। ଅଷ୍ଟ୍ରେଲିଆ ଦଳ ନିଜର ପ୍ରଥମ ପାଳିରେ ମାତ୍ର ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା । ସେପଟେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜୋରଦାର୍ ପ୍ରଦର୍ଶନ କରିଥିଲେ ଟିମ୍ ଇଣ୍ଡିଆର ବୋଲର । ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ ଓ୍ୱିକେଟ୍ ନେଇଥିଲେ । ଏହାପଛକୁ ରବିଚନ୍ଦ୍ର ଅଶ୍ୱିନୀ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
ପରେ ଭାରତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ଭଲ ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ଉଭୟ ୭୬ ରନ ଯୋଡିଥିଲେ। କ୍ରିଜରେ ଜମି ଆସୁଥିବା କେଏଲ ରାହୁଲ(୨୦) ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଦିନିକିଆ ଶୈଳୀରେ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଏକ ଓ୍ଵିକେଟ୍ ହରାଇ ୭୭ ରନ କରିଛି। ଦିନର ଶେଷ ଆଡକୁ କେଏଲ ରାହୁଲ ଆଉଟ୍ ହେବାରୁ ନାଇଟ୍ ଓ୍ଵାଚ୍ ମ୍ୟାନ୍ ଭାବେ ରବିଚନ୍ଦ୍ରନ ଅଶ୍ଵିନ ବ୍ୟାଟିଂ କରିବାକୁ ଆସିଛନ୍ତି। କ୍ରିଜରେ ଅଧିନାୟକ ରୋହିତ ଶର୍ମା(୫୬ ରନ) ଏବଂ ରବିଚନ୍ଦ୍ରନ ଅଶ୍ଵିନ(୦) ଅପରାଜିତ ଅଛନ୍ତି।
