ବାଲେଶ୍ୱର : ଜିଲା କଂଗ୍ରେସ ତରଫରୁ ୭୭ତମ ରାଜୀବ ଗାନ୍ଧୀ ଜନ୍ମ ଜୟନ୍ତୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା କଂଗ୍ରେସ ତରଫରୁ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଶୁକ୍ରବାର ଜିଲା ସଭାପତି ସଞ୍ଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଗାନ୍ଧୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଶ୍ରୀ ଗିରି ନିଜ ବକ୍ତବ୍ୟରେ କହିଥିଲେ ଯେ, “ରାଜୀବ ଗାନ୍ଧୀ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ । ମା’ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ମାତ୍ର ୪୦ ବର୍ଷ ବୟସରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଭାରତ ପାଇଁ ଆଇଟି କ୍ଷେତ୍ରରେ ସେ ଅନେକ ବୈପ୍ଳବିକ ପଦକ୍ଷେପ ନେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନେତା କୃଷ୍ଣଗୋପାଳ ପଣ୍ଡା, ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଗୋପୀନାଥ ପାଢ଼ୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଗଣମାଧ୍ୟମ ସଂଯୋଜକ ଦେବଦତ୍ତ ଦାସ, ଅଫିସ ସେକ୍ରେଟାରୀ ପଶୁପତି ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଯେ, ଅଗଷ୍ଟ ୨୦, ୧୯୪୪ରେ ଜନ୍ମିତ ରାଜୀବ ଗାନ୍ଧୀ ୧୯୮୪ ରୁ ୧୯୮୯ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମସିହା ମେ ୨୧ ତାରିଖରେ ତାଙ୍କୁ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇ ତାମିଲନାଡୁ ଅନ୍ତର୍ଗତ ଶ୍ରୀପେରୁମ୍ବୁଦୁରଠାରେ ହତ୍ୟା କରାଯାଇଥିଲା ।
