୫ରେ ରାବଣ ପୋଡି ଉତ୍ସବ
କଟକ : ଐତିହାସିକ କଟକ ସହରର ପ୍ରସିଦ୍ଧ ଦୁର୍ଗାପୂଜା ମହୋତ୍ସବ ଆଜିଠୁ ଆରମ୍ଭ ହୋଇଯାଇଛି । ଏହି ପୂଜା ଉତ୍ସବ ଅବସରରେ କଟକ ରାବଣ ପୋଡି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଆସୁଥିବା ଉତ୍ସବ ଆସନ୍ତା ୫ ତାରିଖ ସନ୍ଧ୍ୟାରେ ବାଲିଯାତ୍ରା ତଳପଡିଆରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସିଏମସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇଯାଇଥିବାର ସଭାପତି ଆଶୀର୍ବାଦ ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖୋଦ୍ କଟକର ମେୟର ସୁବାସ ସିଂହଙ୍କ ସହିତ ସିଏମସି କମିଶନର ନିଖିଲ ପବନ କଲ୍ୟାଣ ଆଜି ସନ୍ଧ୍ୟାରେ ରାବଣ ପୋଡି ଉତ୍ସବ ସ୍ଥଳକୁ ଯାଇ ଭିତ୍ତିଭୂମିକୁ ତଦାରଖ କରିବା ସହିତ ଯାନବାହାନ ଚଳାଚଳ, ଟ୍ରାଫିକ ସମସ୍ୟା, ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ ଜାଗା ଉପରେ ତଦାରଖ କରିଥିଲେ । ତେବେ ଚଳିତବର୍ଷ ଜାକଜମକରେ ଏହି ରାବଣ ପୋଡି ଉତ୍ସବ ହେବ ବୋଲି ଶ୍ରୀ ବେହେରା କହିଛନ୍ତି ।
