ଆପ୍ ବାଲେଶ୍ୱର ଶାଖା ପକ୍ଷରୁ ବିକ୍ଷୋଭ ସମାବେଶ
ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଦରମା ବୃଦ୍ଧି ଓ ସ୍ଥାୟୀ ଚାକିରି ଦାବି
ବାଲେଶ୍ୱର : ଆମ ଆଦମି ପାର୍ଟି (ଆପ୍) ବାଲେଶ୍ୱର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆପ୍ର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲା ସଭାପତି କୁମାର ସ୍ୱର୍ଣ୍ଣଭାରତ ମଲ୍ଲିକ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ସ୍କିମ ୱାର୍କରମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଦୟନୀୟ ସ୍ଥିତିକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ । ମହିଳା ସଶକ୍ତିକରଣକୁ ଆଗକୁ ନେବା ଆଳରେ ମିଶନ ଶକ୍ତିର ମୂଳ କାର୍ଯ୍ୟକର୍ତ୍ତା ଏମବିକେ, ସିଆରପିଙ୍କ ସମେତ ଅବୈତନିକ ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କ ମିତ୍ରଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ଶ୍ରୀ ମଲିକ ଦୃଢ଼ ସମାଲୋଚନା କରିଥିଲେ । ଏହି ମହିଳା କର୍ମୀଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସାଙ୍ଗକୁ ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପ୍ରଦାନ ପାଇଁ ଏହି ବିକ୍ଷୋଭ ସମାବେଶରେ ବକ୍ତାମାନେ ଦାବି କରିଥିଲେ । ଏହି ଅବସରରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସହର ସମେତ ବିଭିନ୍ନ ବ୍ଲକରୁ ବହୁ ଆପକର୍ମୀ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
