ଉଛେଦ ହେବ ନୁଣିଆଯୋଡ଼ି କୁଷ୍ଠ କଲୋନୀ, ଥଇଥାନ ପାଇଁ ଜିଲାପାଳଙ୍କ ଠାରେ ଗୁହାରୀ କଲେ ୨୬ ପୀଡ଼ିତ ପରିବାର
ବାଲେଶ୍ୱର : ବାଲେଶ୍ୱର ସହରରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଅରଡ଼ବଜାର ଠାରୁ ଫୁଲାଡ଼ି ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ନୁଣିଆଯୋଡ଼ି କୁଷ୍ଠ କଲୋନୀ ଉଚ୍ଛେଦ ନିମନ୍ତେ ଅଦେଶ ହୋଇଛି । ଥଇଥାନ ବ୍ୟବସ୍ଥା ପାଇଁ ଦାବି କରି ସେଠାରେ ବସବାସ କରୁଥିବା କୁଷ୍ଠ ଆକ୍ରାନ୍ତ ପରିବାର ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ।
ସମାଜରୁ ବାସନ୍ଦ ହୋଇ ଦୀର୍ଘ ୭୦ ବର୍ଷ ଧରି କଷ୍ଟମଷ୍ଟେ ବସବାସ କରୁଥିବା ନୁଣିଆଯୋଡ଼ି କୁଷ୍ଠ କଲୋନୀ ଉଚ୍ଛେଦ ଆଦେଶ ନେଇ ଥଇଥାନ ପାଇଁ ଜିଲାପାଳଙ୍କ ଠାରେ ଗୁହାରୀ କରିଛନ୍ତି ଉକ୍ତ ପରିବାର । ପୂର୍ବରୁ ଏଠାରେ ୩୫ ପରିବାର ରହୁଥିବା ବେଳେ ଏବେ ମାତ୍ର ୨୬ ପରିବାର ଅଛନ୍ତି । ଭିକ୍ଷାବୃତ୍ତି କରି ସେମାନେ ଜୀବିକା ନିର୍ବାହ କରି ଆସୁ ଥିବାବେଳେ ସରକାରଙ୍କ ପକ୍ଷରୁ କେବେ ସେମାନଙ୍କୁ ବିଶେଷ ସହାୟତା ପ୍ରଦାନ କରାଯାଇ ନାହିଁ । ତେବେ ପ୍ରଶାସନ ପକ୍ଷରୁ ଏହି କଲୋନୀ ଉଚ୍ଛେଦ ପାଇଁ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ଥାନୀୟ ପୋଲିସ ଅଧିକାରୀ ସେଠାରୁ ଚାଲିଯିବା ପାଇଁ ସେମାନଙ୍କୁ ବାରମ୍ବାର ଧମକ ଦେବା ସହ ସାଦା କାଗଜରେ ସମସ୍ତଙ୍କର ଦସ୍ତଖତ ନେଇଛନ୍ତି । କୁଷ୍ଠ ପୀଡ଼ିତ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ ସାଙ୍ଗକୁ ଜମି ଅଧିକାର, ବାସଗୃହ ଯୋଗାଣର ପ୍ରାବଧାନ ରହିଛି । ଏହି ପରିପ୍ରେକ୍ଷୀରେ ନୁଣିଆଯୋଡ଼ି କୁଷ୍ଠ କଲୋନୀ ପରିବାରଙ୍କୁ ଥଇଥାନ ବ୍ୟବସ୍ଥା ପାଇଁ ଦାବି କରି ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲା ପରିଷଦ ସଦସ୍ୟ ବିପିନ ମାରାଣ୍ଡିଙ୍କ ସମେତ କୁଷ୍ଠ ପୀଡ଼ିତ ପରିବାରର ସୁକାନ୍ତି ସିଂ, ନେଉଳ ସିଂ, ଲକ୍ଷ୍ମୀ ସିଂ, କୁରା ସିଂ, ସାବିତ୍ରୀ ସିଂ, ରବି ସିଂ, ବାୟା ପାତ୍ର, ବିଶାଳ ସିଂ, ରାଜୁ ସିଂ, ଅଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
