ବର୍ଷା ଓ ବନ୍ୟା ପାଣି ସ୍ଥାୟୀ ନିଷ୍କାସନ ଦାବିରେ ଭୋଗରାଇ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା ଓ ବିକ୍ଷୋଭ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବର୍ଷା ଓ ବନ୍ୟା ପାଣି ସ୍ଥାୟୀ ନିଷ୍କାସନ ଦାବିରେ ଭୋଗରାଇ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦକ୍ଷିଣଭୋଗରାଇ କୃଷିକ୍ଷେତ୍ର ସୁରକ୍ଷା କୃଷକ ସଂଘ ପକ୍ଷରୁ ୩୨ ପଞ୍ଚାୟତର ୫ଶହରୁ ଉର୍ଦ୍ଧ୍ୱ ଚାଷୀ ପ୍ରତିନିଧି ଏହି ବିକ୍ଷୋଭରେ ସାମିଲ୍ ଥିଲେ ।
ଥାନା ଛକରୁ ଚାଷୀଙ୍କ ଏକ ଶୋଭାଯାତ୍ରା ବାହାରି ବର୍ଷା ଓ ବନ୍ୟା ପାଣିର ସ୍ଥାୟୀ ସମାଧାନ ଏବଂ ପାଟି ନୁହେଁ ମାଟି ଦରକାର ବୋଲି ସ୍ଲୋଗାନ ଦେଇ ତହସିଲ ସମ୍ମୁଖରେ ପହଞ୍ଚି ତହସିଲ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଦୀର୍ଘ ସମୟ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଠାରେ କୃଷକ ସଂଘର ସଦସ୍ୟ ପଙ୍କଜାକ୍ଷ ପଣ୍ଡାଙ୍କ ପୌରହିତ୍ୟରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ପ୍ରତିବାଦ ସଭାରେ କୃଷକ ସଂଘର ସଭାପତି ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ, ସାରା ଭାରତ ମହିଳା ସାଂସ୍କୃତିକ ସଂଘର ସାଧାରଣ ସମ୍ପାଦିକା ଛବି ମହାନ୍ତି, ଶିକ୍ଷକ ସଂଘର ସଭାପତି ଶ୍ରୀନିବାସ ପ୍ରଧାନ, ପ୍ରବୀଣା ଶିକ୍ଷକ ଉତ୍ସବ କୁମାର କର, ଗୋପବନ୍ଧୁ ମହାପାତ୍ର, ସନ୍ତୋଷ ପାତ୍ର, କୃଷକ ସଂଘର ସଦସ୍ୟ ନିରାକାର ପାଣ୍ଡବ, ସଦାଶିବ ସାମଲ, ନୀଳକଣ୍ଠ ଭଞ୍ଜ, ସୁମନ୍ତ ବେହେରା, ସନ୍ତୋଷ କୁମାର ଜେନା, କଂଗ୍ରେସ ନେତା ସତ୍ୟଶିବ ଦାସ, ସିପିଆଇଏମ୍ ନେତା ଅଧୀନର ଗିରି ଗୋସ୍ୱାମୀ, ଭାଜପା ନେତା ଅଂଶୁମାନ ମହାନ୍ତି, ସଞ୍ଜିବ କୁମାର ସାହୁ, ରାଜ କୁମାର ଦାସ, ବିଜେଡି ସଭାପତି ରମାକାନ୍ତ କରଣ ପ୍ରମୁଖ ସାମିଲ୍ ହୋଇ କୃଷକଙ୍କ ନ୍ୟାୟୋଚିତ ଦାବି ସରକାର ମାନିନେବାକୁ ଜଳସମ୍ପଦ ବିଭାଗ ଓ ଏକ୍ସପାର୍ଟ କମିଟି ପକ୍ଷରୁ ପ୍ରସ୍ତୁତି ହୋଇଥିବା ୧୬୦ କୋଟି ୭ଲକ୍ଷ ଟଙ୍କାର ଡିପିଆର୍ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରିବାକୁ ସରକାରଙ୍କ ଠାରେ ଦାବି ରଖିଥିଲେ । ତହସିଲଦାର ସୁଶାନ୍ତ ପଟ୍ଟନାୟକ ଆନ୍ଦୋଳନକାରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ରକୁ ଗ୍ରହଣ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଥିଲେ ।
