ଭବିଷ୍ୟନିଧି ପାଣ୍ଠିର ପେନସନ୍ଭୋଗୀଙ୍କ ବିକ୍ଷୋଭ
ବାଲେଶ୍ୱର : ବାଲେଶ୍ୱର ସ୍ଥିତ ସହକାରୀ ଭବିଷ୍ୟନିଧି ପାଣ୍ଠି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭବିଷ୍ୟନିଧି ପାଣ୍ଠିରୁ ମାସିକ ପେନସନ୍ ପାଉଥିବା ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲାର ପ୍ରାୟ ୫ଶହ କର୍ମଚାରୀ ଆଇଟିଆଇ ଛକରୁ ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଆହ୍ୱାନରେ ସୋମବାର ଏକ ବିଶାଳ ଶୋଭାଯାତ୍ରାରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବାଲେଶ୍ୱର ଜିଲା ଆସୋସିଏସନ୍ର ସଭାପତି ଇଂ. ଅନାଦି ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଜିଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି ଓ ରାଜ୍ୟ ଏବଂ ଜିଲା ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଇପିଏଫ୍ ପେନସନ୍ଭୋଗୀମାନଙ୍କର ୪ ଦଫା ଦାବିର ଯଥାର୍ଥତା ସମ୍ପର୍କରେ ବିଷଦ ଆଲୋଚନା କରି ଦେଶର ୭୬ ଲକ୍ଷ ବରିଷ୍ଠ ନାଗରିକଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଅବିଚାରର ଦୃଢ଼ ନିନ୍ଦା କରିଥିଲେ । ସର୍ବନିମ୍ନ ମାସିକ ପେନସନ୍ ୧ହଜାର ଟଙ୍କାକୁ ବୃଦ୍ଧି କରି ୯ହଜାର ଟଙ୍କା, ଅଧିକ ବେତନ ପାଉଥିବା କର୍ମଚାରୀଙ୍କୁ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁଯାୟୀ ଅଧିକ ପେନସନ୍, ପେନସନ୍ ସହ ମହଙ୍ଗାଭତ୍ତା ଓ ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନା ଦାବିକରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଓ ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବହୁ ସାମାଜିକ ସଙ୍ଗଠନର ପ୍ରତିନିଧି ସମାବେଶରେ ଉଦ୍ବୋଧନ ଦେଇ କେନ୍ଦ୍ରସରକାର ସମଗ୍ର ଦେଶର ଇପିଏଫ୍ ପେନ୍ସନ୍ଭୋଗୀ ବରିଷ୍ଠ ନାଗରିକମାନଙ୍କର ଦାବିକୁ ସହୃଦୟତାର ସହିତ ଗ୍ରହଣ କରିବାକୁ ସେମାନେ ଦୃଢ଼ ଦାବି କରିଥିଲେ । ଆଇଏନ୍ଟିୟୁସିର ଜିଲା ସଭାପତି ସୁରେଶ ଚନ୍ଦ୍ର ବେହେରା, ସିଆଇଟିୟୁର ଜିଲା ଆବାହକ ରାଜକିଶୋର ଲେଙ୍କା, ଏଆଇଟିୟୁସିର ଜିଲା କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ, ଏଚ୍ଏମ୍ଏସ୍ର ସମ୍ପାଦକ ଅରୁଣ କୁମାର ସ୍ୱାଇଁ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ସୀତାରାମ ପ୍ରଧାନ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ବୀମା ନିଗମ କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ବିଦ୍ୟୁତ୍ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ଇପିଏଫ୍ ଭଦ୍ରକ ଆସୋସିଏସନ୍ର ସଭାପତି କୁଞ୍ଜବିହାରୀ ନାୟକ, ମୟୁରଭଞ୍ଜ ଜିଲା ଉପ-ସଭାପତି ମଧୁସୂଦନ ଜେନା, ବାଲିଆପାଳ ବ୍ଲକ ସଭାପତି ସନ୍ନ୍ୟାସୀ ବେହେରା, କଟକର ଇଂ. ବିଜୟ ନାୟକ ପ୍ରମୁଖ ବିକ୍ଷୋଭକାରୀ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଶୋଭାଯାତ୍ରା ସମାବେଶରେ ୩ଟି ଜିଲାର ବିଭିନ୍ନ ସଂସ୍ଥାରୁ ରତ୍ନାକର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ପରିଡ଼ା, ହୃଷିକେଶ ବାରିକ, ଅର୍ଜୁନ ଜେନା, ଜାନକୀ ମହାପାତ୍ର, ସଦାନନ୍ଦ ଘୋଷ, ଅନିଲ୍ ଦାସ, ଶଚୀନ୍ଦ୍ର ଦାସ, ନଟବର ଦେ, ମନ୍ମଥ ପରିଡ଼ା, ଶରତଚନ୍ଦ୍ର ଦଳାଇ, ଜଳଧର ପଣ୍ଡା, ଭୂପତି ଭୂଷଣ ଦାସ ଓ ନରୋତ୍ତମ ନଟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।
