ବଢ଼ିଲା କରୋନା ଆକ୍ରାନ୍ତଙ୍କ ଚିନ୍ତା! ଡେଲ୍ଟା ତୁଳନାରେ ଓମିକ୍ରନରେ ଆକ୍ରାନ୍ତ ସମ୍ଭାବନା ୩ରୁ ୫ ଗୁଣ ଅଧିକ
ନୂଆଦିଲ୍ଲୀ: ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ପାଇଁ ଚିନ୍ତା ବଢ଼ାଇବା ଭଳି ଖବର ଆସିଛି । ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ଓମିକ୍ରନ ଭାରିଏଂଟରେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି । ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ଡେଲ୍ଟା ଭାରିଏଂଟ ତୁଳନାରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ୩ରୁ ୫ ଗୁଣ ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।
ସ୍ୱାସ୍ଥ୍ୟ ସଂଗଠନ ୟୁରୋପ ନିର୍ଦ୍ଦେଶକ ହାନସ ହେନରି ପି କୁଲେଗଙ୍କ ଅନୁଯାୟୀ, ଓମିକ୍ରନ ଭାରିଏଂଟ କରୋନାରୁ ସୁସ୍ଥ ହେବା ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧ ଶକ୍ତିକୁ ମାତ ଦେବାର କ୍ଷମତା ରଖିଛି । ପୂର୍ବରୁ ଏହି ଭାରିଏଂଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମାତ ଦେବାକୁ ସକ୍ଷମ ଥିବା ଜଣାପଡ଼ିଛି । ଏହାର ଅର୍ଥ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ଲୋକ, ଟିକା ନେଇ ନଥିବା ଲୋକ ଓ ଦୀର୍ଘ ମାସ ତଳେ ଟିକା ନେଇଥିବା ଲୋକମାନେ ଓମିକ୍ରନ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ।
