ଓମିକ୍ରନ ଚିନ୍ତା! ଆଗାମୀ କିଛି ସପ୍ତାହ ସତର୍କ ରହିବା ଜରୁରୀ : ‘ହୁ’
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢ଼ାଉଛି ଚିନ୍ତା। କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ। ଦେଶରେ ଏବଂ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶ୍ବରେ ଏବେ ଓମିକ୍ରନ ତାଣ୍ଡବ ରଚୁଥିବା ବେଳେ ଏସମୟରେ ସତର୍କ ରହିବାକୁ କହିଛନ୍ତି ‘ହୁ’ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ। ଟୁଇଟ ଯୋଗେ ସେ ଆଗାମୀ କିଛି ସପ୍ତାହ ସତର୍କ ରହିବା ଜରୁରୀ ବୋଲି କହିଛନ୍ତି।
ସେ କରିଥିବା ଟୁଇଟରେ ଲେଖାଯାଇଛି ଯେ, ଓମିକ୍ରନ୍ ବୃଦ୍ଧି ହେତୁ ପରବର୍ତ୍ତୀ କିଛି ସପ୍ତାହ ଗୁରୁତର ହେବ। ଅଧିକାଂଶ ଲୋକଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଉଥିବାରୁ ଭୟଭୀତ ନ ହୋଇ ସତର୍କ କରିବା ଆବଶ୍ୟକ। ଲକ୍ଷଣ ଦେଖଗଲେ ପରୀକ୍ଷା କରନ୍ତୁ, ନିଜକୁ ଅନ୍ୟଠୁ ଅଲଗା କରନ୍ତୁ, ଅନାବଶ୍ୟକ ଔଷଧରୁ ଦୂରେଇ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ସମ୍ଭବ ଥିଲେ ଘରୁ କାମ କରନ୍ତୁ, ଭିଡ଼ରୁ ଦୂରେଇ ରୁହନ୍ତୁ ଏବଂ ଟିକା ନନେଇଥିଲେ ଟିକା ନିଅନ୍ତୁ।
