କେନ୍ଦୁଝର ଜିଲ୍ଲା ସମ୍ମିଳନୀ ପାଇଁ ଏଆଇଟିୟୁସି ର ପ୍ରସ୍ତୁତି ବୈଠକ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସର୍ବବୃହତ ଶ୍ରମିକ ସଂଗଠନ ତଥା ଜିଲ୍ଲାର ବିଭିନ୍ନ ଖଣି ଓ କାରଖାନାରେ ଶ୍ରମିକ ସମସ୍ୟା ପାଇଁ ଦୀର୍ଘ ୩୦ବର୍ଷରୁ ଅଧିକ ଦିନ ଧରି ଆନ୍ଦୋଳନ ଜାରୀ ରଖିଥିବା ଏକମାତ୍ର ଲଢୁଆ ସଂଗଠନ ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ (ଏଆଇଟିୟୁସି) ର ଜିଲ୍ଲା ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ ତାରିଖ ଦୁଇଦିନ ଧରି କେନ୍ଦୁଝର ସହରରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିନିମେନ୍ତ ଏକ ପ୍ରସ୍ତୁତି ବୈଠକ କରାଯାଇ ଜିଲ୍ଲା ସମ୍ମିଳନୀ କିପରି ସଫଳ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ୨୩ ତାରିଖ ଶୁକ୍ରବାର ଦିନ ହଜାର ହଜାର ଶ୍ରମିକମାନଙ୍କର ସମାବେଶ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବ । ଦିନ ୧୧ଟା ସମୟରେ କାଳୀପଡିଆଠାରୁ ଏକ ଶ୍ରମିକ ପଟୁଆର ବାହାରିବ । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ । ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ତଥା ଆକାଶଛୁଆଁ ଦରବୃଦ୍ଧି, ପେଟ୍ରୋଲ ଓ ଡିଜେଲ ର ଦରବୃଦ୍ଧି, ମାଲିକମାନଙ୍କ ସପକ୍ଷରେ ଶ୍ରମ ଆଇନ ର ପରିବର୍ତନ, ନୂତନ କାରଖାନା ପ୍ରତିଷ୍ଠା ନକରି ଚାଲୁଥିବା କାରଖାନା ବନ୍ଦ କରିବା, ସରକାରୀ ଶିଳ୍ପକୁ ପ୍ରଧାନମନ୍ତ୍ରୀଙ୍କ ଦୁଇବନ୍ଧୁ ଆଦାନୀ ଓ ଅମ୍ବାନୀଙ୍କୁ ବିକ୍ରୀ କରିବା, ଭାରତୀୟ ରେଳ ଓ ଡିଫେନ୍ସ ଭଳି ସମ୍ବେଦନଶୀଳ ସଂସ୍ଥାକୁ ବିଦେଶୀ କମ୍ପାନୀକୁ ବିକ୍ରି କରିବା ଆଦି ନୀତି ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ ଗଢି ତୋଳିବା ପାଇଁ ଏହି ସମ୍ମିଳନୀ ଡାକରା ଦେବ । ବେକାରୀ ସଂଖ୍ୟା ବଢିବାରେ ଲାଗିଥିଲେ ମଧ୍ୟ ସରକାର ଚୁପ୍ ରହିବାକୁ ଜନସାଧାରଣ ବରଖାସ୍ତ କରିବେ ନାହିଁ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଖଣି ଓ କାରଖାନାକୁ ପ୍ରତିନିଧିମାନେ ଯୋଗ ଦେବେ । ଏଆଇଟିୟୁସି ର ଜାତୀୟ ସଂପାଦକ ତଥା କେନ୍ଦୁଝର ମାଇନ୍ସ ଓ ଫରେଷ୍ଟ ୱାର୍କସ ୟୁନିୟନର ସଭାପତି ରାମକୃଷ୍ଣ ପଣ୍ଡା, ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ ଦାଶ, ଅନ୍ୟତମ ନେତା ଦିବାକର ନାୟକ ଓ ପ୍ରଶାନ୍ତ ପାଟଯୋଶୀ ପ୍ରମୁଖ ଭାଗ ନେବେ । ଜିଲ୍ଲା ନେତୃତ୍ୱ ବିଦ୍ୟାଧର ମହାନ୍ତ, କପିଳ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସାଧାରଣ ସଂପାଦକ ମହେଶ୍ୱର ରାଉତ ପ୍ରକାଶ କରିଛନ୍ତି ।
