ବାଲେଶ୍ୱର ଜିଲା ବ୍ରାହ୍ମଣ ସମିତିର ଶତବାର୍ଷିକ ସମାରୋହ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ସେରଗଡ଼-ନୀଳଗିରି ରାସ୍ତା ପାଶ୍ୱର୍ ସ୍ଥିତ ସାଆନ୍ତାଛକ ନିକଟରେ ଥିବା ଶ୍ରୀଶ୍ରୀ ପଞ୍ଚନାଗେଶ୍ୱର ମନ୍ଦିର ପରିସରରେ ଜିଲା ବ୍ରାହ୍ମଣ ସମିତିର ଶତବାର୍ଷିକ ପାଳନ ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଡା. ଶ୍ରୀଶ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା କମିଟିର କର୍ମକର୍ତ୍ତାମାନଙ୍କ ସମେତ ସମସ୍ତ ବ୍ଲକ୍ କମିଟିର ନେତୃତ୍ୱ ଯୋଗ ଦେଇଥିଲେ ।
ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ଦାଶ ଜିଲା ବ୍ରାହ୍ମଣ ସମିତିର ଶତବାର୍ଷିକ ପାଳନ ପାଇଁ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ଜୁନ୍ ୧୯, ୨୦ ଓ ୨୧ ତିନିଦିନ ବ୍ୟାପୀ ଏହି ଶତବାର୍ଷିକ ସମାରୋହ ବାଲେଶ୍ୱର ସହରରେ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ, ‘ବୈଦିକ ଜ୍ଞାନ ଓ ବିଜ୍ଞାନ’ ଶୀର୍ଷକ ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂଗଠନର ମୁଖପତ୍ର ‘ବ୍ରହ୍ମଶକ୍ତି’ର ବିଶେଷ ସଂଖ୍ୟା ଉନ୍ମୋଚନ କରାଯିବ । ଶତବାର୍ଷିକ ଉତ୍ସବର ପ୍ରତିନିଧି ଅଧିବେଶନରେ ୩୦୦ ସଦସ୍ୟ ଓ ରାଜ୍ୟ କମିଟି, ବିଭିନ୍ନ ଜିଲା କମିଟିର ନେତୃବୃନ୍ଦ ଅତିଥି ଓ ବକ୍ତାଭାବେ ଯୋଗଦେବେ । ଅତିଥିଭାବେ ପୁରୀ ଗଜପତି ମହାରାଜ, ଶ୍ରୀ ଶଙ୍କରାଚାର୍ଯ୍ୟ ଓ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକ ଆରମ୍ଭରେ ପଣ୍ଡିତ ଦୟାନିଧି ପତ୍ରୀ ବେଦପାଠ କରିବା ପରେ ଦିବଙ୍ଗତ ସଦସ୍ୟମାନଙ୍କ ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଆଲୋଚନାର ପ୍ରସଙ୍ଗ ଉପରେ ପଣ୍ଡିତ ଶକ୍ତିପଦ ପଣ୍ଡା, ଡ. କ୍ଷୀତିଶ୍ୱର ଦାଶ, ସରୋଜ ନାରାୟଣ ଷଡ଼ଙ୍ଗୀ, ହରିହର କର, ଲକ୍ଷ୍ମୀଧର ମହାପାତ୍ର, ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
