ବିଦ୍ୟୁତ୍ ବିଲ୍ ଆଦାୟକୁ ନେଇ ଗ୍ରାମବାସୀ-ଟାଟା ପାୱାର କର୍ମଚାରୀଙ୍କ ମଧ୍ୟରେ ବଚସା ଓ ମାଡପିଟ୍, ୩ ଆହତ
୨ ଅଟକ, ଥାନା ଘେରିଲେ ଗ୍ରାମବାସୀ
ନୀଳଗିରି : ରାଜ୍ୟବାସୀଙ୍କୁ ନିରବଚ୍ଛିନ୍ନ ଓ ଉନ୍ନତମାନର ବିଦ୍ୟୁତ୍ ସେବା ଯୋଗାଇ ଦେବା ଦାୟିତ୍ୱ ନେଇଛି ଟାଟା ପାୱାର । ଉନ୍ନତ ମାନର ଓ ନିରବଚ୍ଛିନ୍ନ ସେବା ବଦଳରେ ସାଧାରଣ ଲୋକଙ୍କ ଠାରୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ଲୋକେ ମଧ୍ୟ ସ୍ୱାଗତ କରୁଛନ୍ତି । ମାତ୍ର ବିଦ୍ୟୁତ ବିଲ ଆଣିବାକୁ ଯାଇ ଦବଙ୍ଗଗିରି ଦେଖେଇଲେ ଟାଟା କର୍ମଚାରୀ । ମାର୍ଚ୍ଚ ମାସରେ ବକେୟା ବିଦ୍ୟୁତ ବିଲ ଆଦାୟ ଜୋରସୋର ଚାଲିଥିବାବେଳେ ଶୁକ୍ରବାର ବିଦ୍ୟୁତ୍ ବିଭାଗ ନୀଳଗିରି ଥାନା ଅଧୀନ ଧୋବଶିଳା ଗାଁକୁ ବିଲ୍ ଆଦାୟ ପାଇଁ ଯାଇଥିଲେ । ବିଲ ଆଦାୟକୁ ନେଇ ଗ୍ରାମବାସୀ ଓ ବିଦ୍ୟୁତ ବିଭାଗ ମଧ୍ୟରେ ବଚସା ଓ ମାଡପିଟ୍ ଆରମ୍ଭ ହୋଇଥିଲା । ଏଥିସହ ଗ୍ରାମବାସୀ ବିଦ୍ୟୁତ ବିଭାଗର ଗାଡ଼ିକୁ ଅଟକାଇ ବାକୁ ଯାଇଥିବାବେଳେ ବିଦ୍ୟୁତ ବିଭାଗର କର୍ମଚାରୀ ଗ୍ରାମବାସୀଙ୍କ ଉପରେ ଗାଡି ମଡ଼ାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିରେ ଉଭୟ ପକ୍ଷରୁ ତିନିଜଣ ଗୁରୁତର ହୋଇଛନ୍ତି । ଏନେଇ ନୀଳଗିରି ପୋଲିସ ୨ଜଣ ଗ୍ରାମବାସୀ ସୁନିଲ ବିଶ୍ୱାଳ ଓ ସୁଜିତ୍ କୁମାର ସଙ୍କୁ ନେଇ ଥାନାରେ ଅଟକ ରଖିଛନ୍ତି । ଏହାର ପ୍ରତିବାଦରେ ଧୋବଶିଳା ଗ୍ରାମବାସୀ ନୀଳଗିରି ଥାନା ଘେରାଓ କରିଥିଲେ ।
ସୂଚନା ଯେ, ଶୁକ୍ରବାର ନୀଳଗିରି ଥାନା ଅଧିନ ଧୋବଶିଳା ଅଞ୍ଚଳକୁ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ଟାଟା ପାୱାରର କର୍ମଚାରୀ ଯାଇଥିଲେ । ଉକ୍ତ ଗ୍ରାମର ଚିନ୍ତାମଣି ସଙ୍କ ଘରେ ପହଞ୍ôଚ ବକେୟା ବିଦ୍ୟୁତ୍ ବିଲ୍ ପୈଠ ନେଇ କର୍ମଚାରୀ ଓ ପରିବାର ଲୋକଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ବିଦ୍ୟୁତ୍ କର୍ମଚାରୀ ପ୍ରଥମେ ଆକ୍ରମଣ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା । ଏଥିରେ ପରିବାରର କରୁଣାକର ସ (୩୫) ଆହତ ହୋଇଥିଲେ । ପଡ଼ୋଶୀ ଓ ଗ୍ରାମବାସୀ ଏକଜୁଟ୍ ହେବାରୁ ଟାଟା ପାୱାର କର୍ମଚାରୀ ଘଟଣାସ୍ଥଳରୁ ଗାଡ଼ି ଯୋଗେ ପଳାଇବାକୁ ଚେଷ୍ଟା କରୁଥିଲେ । ଗ୍ରାମବାସୀ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ଗ୍ରାମବାସୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ପରିବାରର ମହିଳା ସୁଚିସ୍ମିତା ସ (୨୬)ଙ୍କ ମୁଣ୍ଡ ମାଡ଼ ହେବା ସହ କିଛି ଦୂରକୁ ଛିଟ୍କି ପଡ଼ିଥିଲେ । ପରେ ଗ୍ରାମବାସୀଙ୍କ ମାଡ଼ରେ ଲାଇନ୍ ମେନ ରଞ୍ଜନ କୁମାର ଦାସ (୩୫) ଗୁରୁତର ହୋଇଥିଲେ । ଗ୍ରାମବାସୀ ଉଭୟଙ୍କୁ ନେଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଟାଟା ପାୱାର ପକ୍ଷରୁ ଲାଇନ୍ମ୍ୟାନ୍ଙ୍କୁ ମଧ୍ୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ନୀଳଗିରି ବିଦ୍ୟୁତ ବିଭାଗ ଏସ୍ଡ଼ିଓ ଓ ଜେଇଙ୍କ ଉପସ୍ଥିତିରେ ମାଡ଼ପିଟ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ସଠିକ୍ ତଦନ୍ତ ଓ ନ୍ୟାୟ ଦାବିରେ ଶୁକ୍ରବାର ସନ୍ଧ୍ୟାରେ ନୀଳଗିରି ଥାନା ଘେରାଉ କରିଥିଲେ । ଟାଟା ପାୱାର କର୍ମଚାରୀ ଓ ଗ୍ରାମବାସୀଙ୍କ ଉଭୟଙ୍କ ପକ୍ଷରୁ ନୀଳଗିରି ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା ବେଳେ ପୋଲିସ ପକ୍ଷରୁ ଦୁଇଟି ମାମଲା (ନଂ. ୧୩୨ ଓ ୧୩୩ /୨୨) ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଟାଟା ପାୱାରର ଏଭଳି ଦବଙ୍ଗ ଗିରିକୁ ଦମନ ପାଇଁ ଗ୍ରାମବାସୀ ଧାରଣାରେ ବସିଥିବା ବେଳେ ଅଟକ ରହିଥିବା ୨ଯୁବକଙ୍କୁ ଛାଡ଼ିବା ପାଇଁ ଦାବୀ କରିଥିଲେ । ଯେ ପର୍ଯ୍ୟନ୍ତ ଟାଟା ପାୱାର କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରା ନ ଯାଇଛି ଏବଂ ୨ ଅଟକ ଯୁବକଙ୍କୁ ଛଡ଼ା ନ ଯାଇଛି ସେ ପର୍ଯ୍ୟନ୍ତ ଥାନା ଛାଡ଼ି ଯିବେ ନାହିଁ ବୋଲି ରୋକଠୋକ ମନା କରିବା ସହ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଅଧିକାରିଣୀ ଦ୍ରୌପଦୀ ଦାସ ଗ୍ରାମବାସୀମାନଙ୍କୁ ବହୁ ବୁଝାସୁଝା କରୁଥିଲା ବେଳେ ବିଦ୍ୟୁତ୍ ବିଭାଗର ଅଧିକାରୀମାନଙ୍କୁ ଡକାଇ ଘଟଣାର ପୂର୍ଣ୍ଣଛେଦ ପକାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଏ ସମ୍ପର୍କରେ ଏସ୍ଡିଓ ଯଯାତି କେଶରି ସିଂହଙ୍କୁ ପଚାରିବାରୁ ସେ ଗାଡ଼ି ଚଢ଼ାଇବା ଘଟଣାକୁ ଖଣ୍ଡନ କରିଥିଲେ । ସେହିପରି ପରିବାର ଲୋକେ ପ୍ରଥମେ ଆମ କର୍ମଚାରୀ କରିଥିବାର କହିଥିଲେ ।
