ବାଲେଶ୍ୱର ୬୦ନଂ ଜାତୀୟ ରାଜପଥରେ ବସ୍ରୁ ଲୁଟ୍, ଥାନାରେ ମାମଲା
ଜଳେଶ୍ୱର : ବାଲେଶ୍ୱର ଜିଲା ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ଅଞ୍ଚଳର ଲୁଟେରାମାନେ ଦିନ ଦ୍ୱିପ୍ରହରରେ ଛିନ୍ତାଇ, ଲୁଟ ତରାଜ କରୁୁଥିବା ବେଳେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଗତ ଗୁରୁବାର ଭୁବନେଶ୍ୱରରୁ କୋଲକତା ଯାଉଥିବା ନୀଳମାଧବ ବସ୍ (ନଂ. ଓଡ଼ି୧୧ଏସ୍-୩୭୬୧)ରୁ ଲୁଟ ହୋଇଥିବା ଜଳେଶ୍ୱର ଥାନାରେ ଏକ ଅଭିଯୋଗ ହୋଇଛି ।
ଘଟଣାରୁ ପ୍ରକାଶ ବସ୍ଟି ଭୁବନେଶ୍ୱରରୁ କୋଲକତା ଗଲାବେଳେ ରାଜଘାଟ ନିକଟରେ ଏକ ବାଇକ୍ ଓ ଭିରନ୍ କାର୍ (ନଂ. ଜେଏଚ୍୦୫ସିଭି-୮୪୦୮) ବସ୍ଟିକୁ ଅଟାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବସ୍ଟି ଦ୍ରୁତ ଗତିରେ ଯାଉଥିବାର ଦେଖି ଉପରୋକ୍ତ ୨ଟି ଗାଡ଼ି ୬୦ନଂ ଜାତୀୟ ରାଜପଥର ନହଞ୍ଜରା ବାଇପାସ୍ ଠାରେ ବସ୍କୁ ଅଟକାଇଥିଲେ । କାର୍ରେ ଥିବା ୩ ଯୁବକ ଅନ୍ୟ କେତେକ ଯୁବକଙ୍କୁ ଡକାଇ ବସ୍ରୁ ୨୦ହଜାର ଟଙ୍କା ଲୁଟ କରିଥିବା ଡ୍ରାଇଭର ଥାନାରେ ଅଭିଯୋଗ କରିଛି । ରାଜପଥରେ ପ୍ରାୟ ୧୫ରୁ ଅଧିକ ଯୁବକ ବସ୍ର ଚାଳକ ଓ ହେଲପରକୁ ମାଡ଼ ମାରିବା ସହିତ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ । ବସ୍ର ସମ୍ମୁଖ ଓ ପାଖ କାଚ ଗୁଡିକ ଭାଙ୍ଗି ଯାଇଛି । ହଠାତ୍ ଏକ ପୋଲିସ୍ ଗାଡ଼ି ଆସୁଥିବା ଦେଖି ଦୁବୃର୍ତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଆହତ ଚାଳକ ଓ ସହଯୋଗୀଙ୍କୁ ଜିକେଭଟ୍ଟର ହସ୍ପିଟଲରେ ଭର୍ତ୍ତି କରାଯାଇଥିଲା । ଜଳେଶ୍ୱର ପୋଲିସ୍ ଏ ସମ୍ପର୍କରେ ତଦନ୍ତ କରୁଥିବା ବେଳେ ରାଜ୍ୟ ଚାଳକ ସଂଘ ପକ୍ଷରୁ ନିନ୍ଦା ଆଗତ କରି ଆସନ୍ତା ଦିନରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ଅଲାଲପୁର ଅଞ୍ଚଳର କାଳିଆ ଦାସ (ଶୁଭେନ୍ଦୁ) ଓ ଅନ୍ୟ ୧୦ଜଣଙ୍କ ନାମରେ ଚାଳକ ସଂଘ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସମ୍ପୃକ୍ତ ଯୁବକମାନେ ବାରମ୍ବାର ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତରହିବା ଓ ଗାଡ଼ି ଚାଳକମାନଙ୍କୁ ହଇରାଣ ହରକତ କରୁଥିବାରୁ ସେମାନଙ୍କୁ ଗିରଫ କରିବାକୁ ଅଭିଯୋଗ ପତ୍ରରେ ଉଲ୍ଳେଖ କରିଛନ୍ତି ।
