ଆଜି ବିଜେଡିରେ ମିଶିବେ ପ୍ରଦୀପ ମାଝୀ, ଭର୍ଚୁଆଲ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେବେ । ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଦୀପ । କିଛି ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ବି ଏହି ଅବସରରେ ବିଜେଡିରେ ସାମିଲ ହେବା ନେଇ ଯୋଜନା ରହିଛି । ଏହି ମିଶ୍ରଣ ପର୍ବରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବେଳେ ବୋଲି ସୂଚନା ମିଳିଛି । କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ବିଜେଡିରେ ଯୋଗ ଦେବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଦକ୍ଷିଣାଂଚଳର ବିକାଶ ଲାଗି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଥିଲେ ।
ସୂଚନା ଯେ, ରାଜ୍ୟରେ କଂଗ୍ରେସ ସଂଗଠନ ଦିନକୁ ଦିନ ତଳକୁ ତଳ ଯାଉଥିବାବେଳେ ଶ୍ରୀ ମାଝୀ ଦଳ ଛାଡ଼ିବା ପ୍ରାୟତଃ ଏକପ୍ରକାର ନିଶ୍ଚିତ ବୋଲି ପୂର୍ବରୁ ଇସାରା ଦେଇ ସାରିଥିଲେ। ଏହାବାଦ ନବରଙ୍ଗପୁର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜେଡି ପାଖରେ ଜଣେ ଦକ୍ଷ ଆଦିବାସୀ ନେତା ନଥିବାରୁ ଦଳ ଏବେ ଶ୍ରୀ ମାଝୀଙ୍କ ଉପରେ ଭରସା କରିବାକୁ ଯୋଜନା ରଖିଛି । ଶ୍ରୀ ମାଝୀ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ୨୦୦୯ରୁ ୨୦୧୧ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଭାବେ ନବରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ । ତା’ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ପଂଚାୟତ ନିର୍ବାଚନରେ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ତଥା ପଶ୍ଚିମ ଓଡ଼ିଶାରେ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ବିଜେଡି ଏବେ ଶ୍ରୀ ମାଝିଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବ ବୋଲି ଜଣାଯାଇଛି।
