ଲାଗୁ ହେଲା ସଂଶୋଧିତ ଭାଟ୍ : କମିଲା ପେଟ୍ରୋଲ ଓ ଡିଜେଲ ଦର
ଭୁବନେଶ୍ୱର : ଶସ୍ତା ହେବ ପେଟ୍ରୋଲ ଏବଂ ଡ଼ିଜେଲ ଦର । ଶୁକ୍ରବାର ମଧ୍ୟ ରାତ୍ରିରୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩ ଟଙ୍କା ଲେଖାଏଁ ହ୍ରାସ ଘଟିବ । ଓଡ଼ିଶା ସରକାର ଭାଟ୍ ହ୍ରାସ କରିବା ପରେ ଓଡ଼ିଶାରେ ଲିଟର ପିଛା ଏବେ ୮ ଟଙ୍କା ପେଟ୍ରୋଲ ଏବଂ ଡିଜେଲ ଦାମ ୧୩ ଟଙ୍କା କମିବ । ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ଭାର ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡ଼ିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ ।
ସୂଚନା ଯେ, କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଗତ ୩ ତାରିଖରେ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତି । ରାଜ୍ୟ ସରକାର ବି ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ । ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍ । ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରୁ ୩୨%, ଡିଜେଲରୁ ୨୮% ନେଉଥିଲେ ଭାଟ୍ । ୬ ତାରିଖଠାରୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ଭାଟ୍ । ସଂଶୋଧିତ ଭାଟ ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୩.୦୪ ଟଙ୍କା କମିବ । ସଂଶୋଧିତ ଭାଟ୍ ଅନୁଯାୟୀ ଡିଜେଲ ଲିଟର ପିଛା ୨.୮୬ ଟଙ୍କା କମିବ ।
