ପଞ୍ଜାଵ ହାଇଡ୍ରାମା : ଇସ୍ତଫା ପ୍ରତ୍ୟାହାର କଲେ ସିଦ୍ଧୁ, ରଖିଲେ ନୂଆ ସର୍ତ୍ତ
ଅମୃତସର : ପଞ୍ଜାଵ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରତ୍ୟହ ହାଇଡ୍ରାମା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ବିଧିବଦ୍ଧ ଭାବେ ଏହାକୁ ଫେରାଇ ନେଇଛନ୍ତି। ସେ ଦୀର୍ଘ ଦିନରୁ କଂଗ୍ରେସର ପଞ୍ଜାବ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ହେଁ ଏହାକୁ ହାଇକମାଣ୍ଡ ଗ୍ରହଣ କରି ନଥିଲେ। ଶେଷରେ ସେ ନିଜର ଇସ୍ତଫାପତ୍ର ଫେରାଇ ଆଣିଥିବା ଜଣାପଡ଼ିଛି। ତେବେ ଇସ୍ତଫା ପତ୍ର ଫେରାଇ ଆଣିଥିବା ସିଦ୍ଧୁ କଂଗ୍ରେସ ଆଗରେ ନୂଆ ସର୍ତ୍ତ ରଖିଛନ୍ତି। ଯେଉଁ ପର୍ଯ୍ୟନ୍ତ ପଞ୍ଜାବରେ ନୂଆ ଆଡଭୋକେଟ ଜେନେରାଲ ନିଯୁକ୍ତ ହୋଇନାହାନ୍ତି ସେଯାଏ ସିଦ୍ଧୁ ପଞ୍ଜାବର କଂଗ୍ରେସ ଅଫିସକୁ ଆସିବେ ନାହିଁ ବୋଲି ଦଳ ଆଗରେ ସର୍ତ୍ତ ରଖିଛନ୍ତି।
କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ଶୁକ୍ରବାର ଚଣ୍ଡୀଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ସିଦ୍ଧୁ କହିଛନ୍ତି ଯେ ନୂତନ ଆଟର୍ଣ୍ଣି ଜେନେରାଲଙ୍କ ନିଯୁକ୍ତି ପରେ ସେ ଦାୟିତ୍ୱ ଗ୍ରହଣ କରିବେ। ସିଦ୍ଧୁ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ପଞ୍ଜାବୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଥିଲେ । ସେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ମତଭେଦକୁ ଅସ୍ୱୀକାର କରିଛନ୍ତି। କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଦୀର୍ଘ ଦିନ ଧରି ବିବାଦ ପରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହୋଇଥିବା ନବଜୋତ ସିଂ ସିଦ୍ଧୁ କିଛି ନିଯୁକ୍ତିକୁ ନେଇ ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ମତଭେଦ ପରେ ଇସ୍ତଫା ଦେଇଥିଲେ। ଆଜି ସିଦ୍ଧୁ କହିଛନ୍ତି, ନୂତନ ଆଟର୍ଣ୍ଣି ଜେନେରାଲଙ୍କ ନିଯୁକ୍ତି ପରେ ମୁଁ ଦାୟିତ୍ୱ ଗ୍ରହଣ କରିବି। ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ମତଭେଦକୁ ଅସ୍ୱୀକାର କରି କହିଛନ୍ତି ଯେ,’କୌଣସି ବ୍ୟକ୍ତିଗତ କଥା ସେ କରନ୍ତି ନାହିଁ, ମୁଁ ତାଙ୍କ ସହ କେବଳ ରାଜ୍ୟ ପାଇଁ କଥାବାର୍ତ୍ତା କରୁଛି। ମୋର ଚରଣଜିତ୍ ଚନ୍ନିଙ୍କ ସହ କୌଣସି ମତଭେଦ ନାହିଁ | ମୁଁ ଯାହା କରେ ତାହା ପଞ୍ଜାବ ପାଇଁ ହିଁ କରେ | ପଞ୍ଜାବ ହେଉଛି ମୋର ପ୍ରାଣ’। ସିଦ୍ଧୁ କହିଛନ୍ତି,“ ମୁଁ ତାଙ୍କୁ (ମୁଖ୍ୟମନ୍ତ୍ରୀ) ଲଗାତାର ଭେଟୁଛି । ଗତ ଏକ ମାସ ଧରି ବିଭିନ୍ନ ପ୍ରସଙ୍ଗରେ ମୁଁ ତାଙ୍କ ସହ ଆଲୋଚନା କରୁଛି | ଏହା ଏକ ୯୦ ଦିନିଆ ସରକାର ଏବଂ ୫୦ ଦିନ ବିତିଗଲାଣି। ” ନବଜୋତ ସିଂ ସିଦ୍ଧୁ କହିଛନ୍ତି,“ ଗତ ୪.୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲି। ତତ୍କାଳୀନ ମୁଖ୍ୟମନ୍ତ୍ରୀ(କ୍ୟାପଟେନ ଅମରିନ୍ଦର ସିଂ) ସମସ୍ତ କ୍ଷମତାକୁ ନିଜ ପାଖରେ ରଖିଥିଲେ, କିନ୍ତୁ କୌଣସି ପଦକ୍ଷେପ ନେଇନଥିଲେ। ପଦବୀ ପାଇଁ ମୋର ଲୋଭ ନାହିଁ, କିନ୍ତୁ ମୁଁ କେବଳ ପଞ୍ଜାବର ଲୋକଙ୍କ ଅଧିକାର ପାଇଁ ଲଢ଼ୁଛି । ୨୦୨୨ ନିର୍ବାଚନରେ କଂଗ୍ରେସ ୮୦-୧୦୦ଟି ଆସନ ଜିତିବ’ ।
