ପରଲୋକରେ ଲୋକପ୍ରିୟ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତ
ବାରିପଦା : ପରଲୋକରେ ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତ । ଗତ ଶନିବାର ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶନିବାର ସନ୍ଧ୍ୟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସୌରୀନ୍ଦ୍ରଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
ସୂଚନା ଯେ, ସୌରୀନ୍ଦ୍ର ମହାନ୍ତ ଦୂରସଞ୍ଚାର ବିଭାଗରୁ ଅବସର ଗ୍ରହଣ କରିବା ପରେ ଝୁମର ଗୀତ ପାଇଁ ଅଧିକ ସମୟ ଦେଉଥିଲେ । ବହୁ ଝୁମର ଗୀତ ରଚନା ଓ ତାର ସ୍ବର ସଂଯୋଜନା କରି ବିଭିନ୍ନ ମହଲରୁ ପ୍ରଶଂସିତ ମଧ୍ୟ ହୋଇଥିଲେ। ଚଳିତ ବର୍ଷ ମୟୂରଭଞ୍ଜ ମହୋତ୍ସବରେ ତାଙ୍କର ଗୀତ ସ୍ବରରେ ଦର୍ଶକ ବେଶ ବିମୋହିତ ହୋଇଥିଲେ। ତାଙ୍କ ପରଲୋକ ଖବରରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
