ଦୋଳ ପୂର୍ଣ୍ଣିମା ଓ ହୋଲିରେ ଗାଁଠୁ ସହର ଉତ୍ସବ ମୁଖର
କେନ୍ଦୁଝର : ଆଜି ପବିତ୍ର ହୋଲି ଉତ୍ସବ । ଜିଲ୍ଲାର ବିଭିନ୍ନ ଅଂଚଳରେ ଏହି ପର୍ବ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଉଛି । ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ ବିମାନରେ ମଧ୍ୟ ଗ୍ରାମ ପରିକ୍ରମା କରୁଛନ୍ତି । ଗାଁଠୁ ସହର ଚାରିଆଡେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି । ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଦୋଳ ମଂଚରେ ୩ଦିନ ଧରି ଚାଲିବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଦିନ ପାଲା ଗାୟକ ରାଜହଂସି ଶ୍ରୀଯୁକ୍ତ ରମାକାନ୍ତ ପାତ୍ର ଓ ତାଙ୍କ ସାଥୀ ମାନଙ୍କ ଦ୍ୱାରା ପାଲା ପରିବେଶଣ କରାଯାଇଥିବା ବେଳେ ଶୋମବାର ସନ୍ଧ୍ୟାରେ ପ୍ରବଚକ ଶ୍ରୀ କେଶବ ଦାସ ଦ୍ୱିତୀକୃଷ୍ଣ ଏବଂ ମଙ୍ଗଳବାର ସନ୍ଧ୍ୟାରେ କୃଷ୍ଣା ମେଲୋଡି କଟକ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବ ବୋଲି ଶ୍ରୀ ଗୋପାଳଜୀ ପାଠାଗାର ସମ୍ପାଦକ ଆନନ୍ଦ ପ୍ରକାଶ ଖଣ୍ଡେଇ ସୂଚନା ଦେଇଛନ୍ତି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଲିର ମିଳନ ଏକ ନିଆରା ପରମ୍ପରା । ଭାଇଚାରାର ଏହି ପର୍ବରେ ଉଭୟ ଉଭୟଙ୍କୁ ରଙ୍ଗ ଲଗେଇ ମଜା ନେଉଛନ୍ତି ଜିଲ୍ଲାବାସୀ ।
