ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ ପଂଚାୟତିରାଜ ବ୍ୟବସ୍ଥା ପ୍ରଗତିର ମୂଳଭିତି
କେନ୍ଦୁଝର : ପଂଚାୟତିରାଜ ବ୍ୟବସ୍ଥା ପ୍ରଗତିର ମୂଳଭିତି ଏବଂ ଏହାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ଅଧିକ ସଚେତନ ହୋଇ କାର୍ଯ୍ୟ କରିବାକୁ ଅତିଥି ଓ ବକ୍ତାମାନେ ପଂଚାୟତିରାଜ ଓ ଲୋକସେବା ଦିବସ ପାଳନ ଅବସରରେ ଆହ୍ୱାନ ଜଣାଇଛନ୍ତି । ଏତଦ୍ବ୍ୟତୀତ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ପଂଚାୟତିରାଜ ବ୍ୟବସ୍ଥାର ଆଦ୍ୟ ପ୍ରବର୍ତକ ବୋଲି କହିବା ସହିତ ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ବିକାଶର ଧାରକ ଓ ବାହକ ଭାବେ ଅଭିହିତ କରି ସେମାନେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ନିବେଦନ କରିଥିଲେ । ଚଳିତ ମାର୍ଚ୍ଚ ୫ ତାରିଖ ରବିବାର ଦିନ ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଠାକ୍ରେ ଏହି ସମାରୋହରେ ଯୋଗଦେଇ ଜିଲ୍ଲାବାସୀ ଓ ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସୁଖ ସମୃଦ୍ଧି କାମନା କରିଥିଲେ । ଉଦ୍ବୋଧନ ଛଳରେ ଜିଲ୍ଲାପାଳ ଶ୍ରୀ ଠାକ୍ରେ ପଂଚାୟତିରାଜ ବ୍ୟବସ୍ଥାରେ ଉନ୍ନୟନର ରୂପରେଖ ସଂପର୍କରେ ଆଲୋକପାତ କରି ଆଗାମୀ ଦିନରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ କରି ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲାର ଉନ୍ନତି ପାଇଁ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି । ଏହା ସଠିକ୍ ଭାବେ କାର୍ଯ୍ୟାନ୍ୱୟନ ହେଲେ ଗ୍ରାମର ବିକାଶ ସହିତ ଜିଲ୍ଲା ତଥା ରାଜ୍ୟର ବିକାଶ ହୋଇ ପାରିବ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଗଣତନ୍ତ୍ର, ବିକାଶ ଓ ସଶକ୍ତିକରଣର ମହାନ ପ୍ରବକ୍ତା ଏବଂ ରାଷ୍ଟ୍ରନୀତିଜ୍ଞ ଭାବେ ଅଭିହିତ କରି ତାଙ୍କର ଆଦର୍ଶ ଓ ଚିନ୍ତାଧାରାକୁ ପାଥେୟ କରି ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନେ ପଂଚାୟତିରାଜ ବ୍ୟବସ୍ଥାକୁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରି ଏହାର ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦର୍ଶକୁ ଆଧାର କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ସରକାର ପ୍ରଶାସନକୁ ଅଧିକ ସ୍ୱଚ୍ଛ,ଉତରାଦାୟୀ ଓ ଲୋକାଭିମୁଖୀ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ନେଉଥିବା ପଦକ୍ଷେପ ସଂପର୍କରେ ଅବତାରଣା କରିଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ନିଜ ଅଭିଭାଷଣରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ପୂଣ୍ୟାତ୍ମା,ମହାନ ଦେଶ ଭକ୍ତ,ତ୍ୟାଗୀ,ରାଷ୍ଟ୍ର ନାୟକ ଭାବେ ଅଭିହିତ କରି ତାଙ୍କ ପୂଣ୍ୟ ଜନ୍ମଦିନକୁ ପଂଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଛି ବୋଲି କହିବା ସହିତ ପଂଚାୟତିରାଜ ବ୍ୟବସ୍ଥା ପ୍ରତିଷ୍ଠା ଓ କ୍ଷମତା ବିକେନ୍ଦ୍ରୀକରଣ, ମହିଳା ସଶକ୍ତିକରଣ ଓ ନୂଆ ଓଡିଶା ନିର୍ମାଣରେ ଅବଦାନ ପାଇଁ ବିଜୁବାବୁ ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ସମାଜର ସବୁ ବର୍ଗର ଜନସାଧାରଣ କିପରି ସରକାରୀ ସେବାର ସୁଫଳ ପାଇପାରିବେ ସେଥିପାଇଁ ସେ ସବୁବେଳେ କାମ କରୁଥିଲେ । ବିଜୁବାବୁଙ୍କର ଉତୁଙ୍ଗ ବ୍ୟକ୍ତିତ୍ୱ,ଦୁଃସାହାସ,ଅନନ୍ୟ ଜାତିପ୍ରେମ ଓ ଦେଶପ୍ରେମ,ଦେଶର ସୁରକ୍ଷାରେ ମହନୀୟ ଅବଦାନ,ଶିଳ୍ପାୟନ,ବିଜ୍ଞାନ ଓ କାରିଗରୀ ତଥା ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ରାଜ୍ୟ ତଥା ଦେଶର ବିକାଶ ଆଣିବାର ପ୍ରୟାସ ତାଙ୍କୁ ମହାନ କରିଛି । ତାଙ୍କର ସୁଯୋଗ୍ୟ ଦାୟାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟର ପ୍ରଗତି ପାଇଁ ତଥା ସରକାର ଓ ପ୍ରଶାସନକୁ ଲୋକାଭିମୁଖୀ କରି ସେବା ଯୋଗାଇବା ନିମନ୍ତେ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି କହିଥିଲେ । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳନର ତାତ୍ପର୍ଯ୍ୟ ଓ ଅନୁଚିନ୍ତା ସଂପର୍କରେ ଆଲୋକପାତ କରି ପଂଚାୟତିରାଜ ବ୍ୟବସ୍ଥାରେ ଗଣତାନ୍ତ୍ରିକ ପଦ୍ଧତିରେ କ୍ଷମତା ବିକେନ୍ଦ୍ରିକରଣ ଜରିଆରେ ଲୋକମାନଙ୍କର ସଂପୃକ୍ତି ଓ ସହଯୋଗରେ ଗ୍ରାମାଂଚଳର ବିକାଶ ତ୍ୱରାନ୍ୱିତ ହେଉଛି ବୋଲି କହିଥିଲେ । କେନ୍ଦୁଝର ଜିଲ୍ଲାରେ ହାତକୁ ନିଆଯାଇଥିବା ଦୀର୍ଘମିଆଦି ଉନ୍ନୟନ କାର୍ଯ୍ୟକ୍ରମ ପଂଚାୟତିରାଜ ଅନୁଷ୍ଠାନର ପ୍ରତିନିଧିଙ୍କ ସହଯୋଗରେ ଜିଲ୍ଲାର ପ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି କହିଥିଲେ । ଏହି ସମାରୋହରେ ଜିଲ୍ଲା ପରିଷଦ ସଦସ୍ୟ,ସରପଂଚ ମାନେ ବକ୍ତବ୍ୟ ପ୍ରଦାନ କରିବା ସହିତ ନିଜର ଅଭିଜ୍ଞତା ସଂପର୍କରେ ଅବତାରଣା କରିଥିଲେ । ପରିବେଶ ସୁରକ୍ଷା ନିମନ୍ତେ ନିଜେ ବୃକ୍ଷରୋପଣ କରି ଅନ୍ୟମାନଙ୍କୁ ଏଥି ନିମନ୍ତେ ପ୍ରବର୍ତାଇବା ସଂପର୍କରେ ସମାରୋହରେ ବାର୍ତା ଦିଆଯାଇଥିଲା । ଏହି ଅବସରରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୯ଟି ବିଷୟବସ୍ତୁ ଉପରେ ଉତ୍କର୍ଷତା ହାସଲ କରିଥିବା ଗ୍ରାମ ପଂଚାୟତକୁ ପୁରସ୍କୃତ/ସଂବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଜୟଶ୍ରୀ ବେଉରା ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ କେନ୍ଦୁଝର ସଂଜୀବ ବାରିକ ସ୍ୱାଗତଭାଷଣ ପ୍ରଦାନ କରିବା ସହ ସମାରୋହର ସଂଯୋଜନା କରିଥିଲେ । ଓରମାସ୍ ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ୱାମୀ, ସେକ୍ସନ ଅଫିସର ପ୍ରଦୀପ୍ତ କୁମାର କର,ଷ୍ଟେନୋ ତ୍ରିନାଥ ଜେନା,କର୍ମଚାରୀ ସିଦ୍ଧେଶ୍ୱର ବିଶ୍ୱାଳ,ବିଶ୍ୱଜିତ ସାହୁ,ମୋନାଲିସା ମହାନ୍ତ,ମନୋରଂଜନ ସାହୁ,ରଶ୍ମିରଂଜନ ଦାଶ,ପ୍ରଶାନ୍ତ ବାରିକ,ଭରତ ମହାନ୍ତ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।
