ୟୁକ୍ରେନରୁ ଓଡିଆଙ୍କ ଉଦ୍ଧାର ପାଇଁ ୪ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଦାୟିତ୍ୱ ଦେଇଛନ୍ତି । ୟୁକ୍ରେନ ସହ ଅନ୍ୟ ଦେଶକୁ ଚାଲି ଯାଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର । ଏଥିପାଇଁ ନୂଆଦିଲ୍ଲୀ ଆବାସିକ କମିଶନଙ୍କ କାର୍ଯ୍ୟାଳୟ ନୋଡାଲ ଅଫିସ ହେବ ବୋଲି ଘୋଷଣା କରାଯାଇଛି । ସମ୍ପୃକ୍ତ ଅଧିକାରୀ ମାନେ ଆବାସିକ କମିଶନ ଓ ସମ୍ପୃକ୍ତ ଦେଶ ମାନଙ୍କ ସହ ଯୋଗାଯୋଗ କରି ଓଡିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନେଇ କାମ କରିବେ । ଏସମ୍ପର୍କରେ ଓଡିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସୂଚନର ଅନୁଯାୟୀ ପୋଲାଣ୍ଡ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦାୟିତ୍ୱ ବିକ୍ରମାଦିତ୍ୟଙ୍କୁ ଦିଆଯାଇଛି । ବର୍ତମାନ ସେ କିଟ୍ ଓ କିସ ବିଶ୍ୱବିଦ୍ୟାଳୟର ଉପସଭାପତି ଅଛନ୍ତି ବିକ୍ରମାଦିତ୍ୟ । ସେହିଭଳି ହଙ୍ଗେରୀ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ୟୁଏନଏଚସିଆରର ବରିଷ୍ଠ ଟିଡିପିଏସ୍ ଅଧିକାରୀ ଆରୁଷି ରାୟଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଦାୟିତ୍ୱ ମିଳିଛି । ସ୍ଲୋଭାକିଆ ପାଇଁ ହଙ୍ଗେରୀର ଅନୁରାଗ ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି । ସୂଚନା ଯେ, ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣ ଜାରି ରଖିଛି । ଦେଶର ଅନେକ ଛାତ୍ରଛାତ୍ରୀ ଓ ନାଗରିକ ସେଠାରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ବହୁ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି ।
