ରାଜ୍ୟରେ ୭ ପରେ ବଢିବ ତାତି
ସପ୍ତାହେ ପର୍ଯ୍ୟନ୍ତ ଲାଗି ରହିବ ଶୁଖିଲା ପାଗ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୫ ଦିନ ରାଜ୍ୟର ପାଗ ଶୁଖିଲା ରହିବ। ୫ ଦିନ ପରେ ରାଜ୍ୟର ପାରଦ ବଢ଼ିବା ସହ ଗରମ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୭ରୁ ୧୨ ତାରିଖ ଭିତରେ ଗରମ ଦ୍ରୁତ ଗତିରେ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ। ତାପମାତ୍ରା ପ୍ରାୟ ୩ ଡିଗ୍ରିରୁ ଅଧିକ ବଢ଼ିପାରେ। ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାପମାତ୍ରା ପ୍ରାୟ ୪ ଡିଗ୍ରିରୁ ଅଧିକ ବଢ଼ିବ। ଭୁବନେଶ୍ବର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ। କୁହୁଡ଼ି ଜାରି ରହିବ।
ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି, ୧୧ ବା ୧୨ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍, ଅନୁଗୁଳ, ତାଳଚେର, ସୋନପୁର, ଭବାନୀପାଟଣା, ଟିଟିଲାଗଡ଼, କାଲିମେଳାରେ ୩୯ ଡିଗ୍ରୀ ସେଲସିୟସ୍ରୁ ଅଧିକ ଏବଂ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ସେଲସିୟସ, ଚାନ୍ଦବାଲିରେ ୩୭ ଡିଗ୍ରୀ ସେଲସିୟସ୍ ହୋଇପାରେ । ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଛୁଇଁପାରେ । ଭୁବନେଶ୍ୱର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ । କୁହୁଡ଼ି ଚାଲୁ ରହିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ। କୁହୁଡ଼ି ସମ୍ଭାବନା ନାହିଁ । ୧୨ ତାରିଖ ବେଳକୁ ବାଷ୍ପୀକରଣର ଦ୍ରୁତ ବୃଦ୍ଧି ହେତୁ ଫସଲରେ ଜଳସେଚନର ଆବଶ୍ୟକତା ପ୍ରାୟ ୬୦ ପ୍ରତିଶତ ବଢିବ । ତେଣୁ ପନିପରିବା ଓ ରବି ଫସଲ ଆବଶ୍ୟକ ମତେ ଜଳସେଚନ କରିବାକୁ ସେ ପରାମର୍ଶ ଦେଇଛନ୍ତ ।
ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ମୁଖ୍ୟ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଶୁକ୍ରବାର ପାଗ ଶୁଖିଲା ରହିବ । ଆକାଶରେ କାଁ ଭାଁ ବାଦଲ ରହିବ । ଏଭଳି ପାଗ ୬-୭ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତା ୨-୪ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବ ଓଡ଼ିଶାରେ ବିଶେଷ ପଡ଼ିବ ନାହିଁ । ଏହାର ପ୍ରଭାବ ତାମିଲନାଡୁରେ ପଡ଼ିବ । କୁହୁଡ଼ି ପଡ଼ିବ ବୋଲି ସେ ଆକଳନ କରିଛନ୍ତି ।
ସୂଚନା ଯେ, ଗୁରୁବାର ରାଜ୍ୟର ୧୦ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଟିଟିଲାଗଡ଼ରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ୍ ଥିବା ବେଳେ ବଲାଙ୍ଗୀରରେ ୩୬.୮, ସୋନପୁରରେ ୩୬, ଝାରସୁଗୁଡ଼ାରେ ୩୫.୬, ଭବାନୀପାଟଣା ଓ ବୌଦ୍ଧରେ ୩୫.୫, ସମ୍ବଲପୁରରେ ୩୫.୨, ଅନୁଗୁଳରେ ୩୫.୧ ଏବଂ ନୟାଗଡ଼ ଓ ଛତ୍ରପୁରରେ ୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
