ନୂଆଁଖାଇର ଲଗ୍ନ ଧାର୍ଯ୍ୟ
ସମ୍ବଲପୁର : ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ଵାରା ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ସକାଳ ୧୦:୧୫ ମି. ରୁ ୧୦:୨୫ ମି. ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ। ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ସକାଶେ ନୂଆଁଖାଇ ଲଗ୍ନ ନନ୍ଦୋତ୍ସବ ଅବସରରେ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ସନ୍ଧ୍ୟାରେ ନିରୂପଣ କରାଯାଇଛି। ସବୁବର୍ଷ ଭଳି ବ୍ରହ୍ମପୁରା ମନ୍ଦିର କମିଟିର ଆହ୍ୱାନକ୍ରମେ ପଣ୍ଡିତ ମହାସଭା ଲଗ୍ନ ନିର୍ଦ୍ଧାରଣ କରିଥିଲେ। ଲଗ୍ନ ନିର୍ଦ୍ଧାରଣ ପରେ ବିଧିନୁଯାୟୀ ମନ୍ଦିର ପୂଜକ ସନ୍ତୋଷ ପଣ୍ଡା ଓ ସଦସ୍ୟମାନେ ମା’ ସମଲେଶ୍ୱରୀ ପୀଠକୁ ଯାଇ ଲଗ୍ନପତ୍ର ମା’ଙ୍କ ଠାରେ ଅର୍ପଣ କରିଥିଲେ।
ପରମ୍ପରା ଅନୁସାରେ ବସିଥିବା ପଣ୍ଡିତ ସଭାରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ – ଶ୍ରୀ ବୀର ବିକ୍ରମ ସମ୍ବତ ୨୦୭୮ ଶ୍ରୀ ଶକାଦ୍ଦଃ ୧୯୪୩ ସିଂହ ସଂକ୍ରମଣ ୨୭ ଦିନ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ଇଂ. ତା ୧୧ା୯ା୨୦୨୧ ଶନିବାର ଦିବା ଘ:୧୦ା୧୫ମି.ରୁ ଘ:୧୦ା୨୫ମି. ମଧ୍ୟେ ପ୍ରସସ୍ଥ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଭୋଗକୁ ଶୁଭ।
