ରାଜ୍ୟ ଆଉଟସୋର୍ସିଂ କର୍ମଚାରୀଙ୍କ ଡାକରାରେ ନଭେମ୍ବର ୨୬ ଭୁବନେଶ୍ୱର ଚାଲ
ବାଲିଆପାଳ : ବାଲେଶ୍ୱର ଜିଲା ଆଉଟସୋର୍ସିଂ ଠିକା କର୍ମଚାରୀ ସଂଘର ଉପ-ସଭାପତି ଦେବାଶିଷ ଜେନାଙ୍କ ନେତୃତ୍ୱେରେ ବୁଧବାର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଂଘର ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଉଛି । ବୈଠକରେ ଜିଲାର ବିଭିନ୍ନ ସରକାରୀ ଆଉଟସୋର୍ସିଂ ଠିକା କର୍ମଚାରୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଠିକା କର୍ମଚାରୀ ପଦବୀ ଉଚ୍ଛେଦ କରାଯାଇ ନିୟମିତ କରାଯାଇଥିବା କଥା ଆଲୋଚନା କରାଯାଇଥିଲା । ସେଥିରୁ ବାଦ୍ ପଡ଼ିଥିବା ଆଉଟସୋର୍ସିଂ ଠିକା କର୍ମଚାରୀ ସ୍ୱାସ୍ଥ୍ୟ ବିଭାଗ, ବ୍ଲକ, କୃଷି ବିଭାଗ, ତହସିଲ ସହିତ ମୋଟ ୪୨ଟି ବିଭାଗର ଆଉଟସୋର୍ସିଂ ଠିକା କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ରାଜ୍ୟ ଆଉଟସୋର୍ସିଂ ଠିକା କର୍ମଚାରୀ ସଂଘ ପକ୍ଷରୁ ନଭେମ୍ବର ୨୬ରେ ଭୁବନେଶ୍ୱର ଚାଲ ଡାକରାକୁ ସମର୍ଥନ କରି ଆନ୍ଦୋଳନକୁ ସଫଳ କରିବା ପାଇଁ ଶପଥ ନେଇଛନ୍ତି ।
ଉକ୍ତ ସଭାରେ ବାଲିଆପାଳ ବ୍ଲକର ବିଭିନ୍ନ ବିଭାଗର ସରକାରୀ ଆଉଟସୋର୍ସିଂ କର୍ମଚାରୀ ନରୋତ୍ତମ ଦାସ, ପାର୍ଥସାରଥି ପାଲ, ସୀତା ହାଜରା, ସନ୍ତୋଷ ପାତ୍ର, ପୂଜା କୁଲ୍ହାରି, ପ୍ରିତମା ନାୟକ, ଅମିତ ଜେନା, ତାପସ ସେଠିଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ବକ୍ତବ୍ୟରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା କର୍ମଚାରୀଙ୍କ ଚାକିରୀ ନିୟମିତ କରି ଠିକା ବ୍ୟବସ୍ଥା ଉଛେଦ ବୋଲି ଘୋଷଣା କରିଛନ୍ତି, ହେଲେ ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି ସେପଟେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସମାନ କାମକୁ ସମାନ ଦରମାକୁ ମଧ୍ୟ ପାଳନ କରିନାହାନ୍ତି । ମହଙ୍ଗା ବଜାରଦର ସହ ଦୈନନ୍ଦିନ ଆବଶ୍ୟକତା ଅନୁସାରେ ମାତ୍ର ୮ ରୁ ୧୦ ହଜାର ଟଙ୍କା ଦରମାରେ ଚଳିବା କଷ୍ଟ ହେଉଥିବା କଥା ଉଠାଇଥିଲେ । ଏ ନେଇ ସଂଘ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରୁଥଲେ ମଧ୍ୟ କିଛି ସୁଫଳ ମିଳିନଥିବା କଥା କହୁଥିଲେ । ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ, ସ୍ଥାୟୀ ନିଯୁକ୍ତି ଓ ଚାକିରୀରୁ ବହିଷ୍କାର ନ କରିବା ବିଭିନ୍ନ ଦାବିକୁ ସରକାରଙ୍କ ଠାରେ ଉପସ୍ଥାପନ କରାଯିବାର ଆବଶ୍ୟକତା ରହିଛି ବୋଲି ସମସ୍ତେ କହୁଥିଲେ । ଜିଲା ଆଉଟସୋର୍ସିଂ ସଂଘର ସୋସିଆଲ ମିଡ଼ିଆ ସଂଯୋଜକ ସାନୁ କୁମାର ଶାସମଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
