ଗାନ୍ଧୀ ଶିଳ୍ପ ବଜାର-୨୦୨୨ : ମାଟି ତିଆରି ପାତ୍ରର ବଢୁଛି ଚାହିଦା
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଆଇଟିଆଇ ପଡ଼ିଆରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଡୋଭ୍ ଦ୍ୱାରା ଆୟୋଜିତ ଏବଂ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ‘ଗାନ୍ଧୀ ଶିଳ୍ପ ବଜାର-୨୦୨୨’ ରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଜିଲା ତଥା ଜିଲା ବାହାରୁ ଆସିଥିବା ମାଟି ତିଆରି ପାତ୍ର, ଗୃହ ଉପକରଣ ଓ ଖେଳଣାଗୁଡ଼ିକ ଦର୍ଶକଙ୍କୁ ଆକର୍ଷିତ କରୁଛି ।
ଏତଦ୍ବ୍ୟତୀତ ପୁରୀର ପଟ୍ଟଚିତ୍ର, ଚାନ୍ଦୁଆ, ମହିଶୁରର ଧୂପକାଠି, କର୍ଣ୍ଣାଟକର କାଠ କାମ, ରାଜସ୍ଥାନର ଟାଏ ଏବଂ ଡାଏ, ଜୁଏଲାରୀ, ଲକ୍ଷ୍ନୌର ବେଡ୍ସିଟ୍ ଏବଂ ବେଡ୍ କଭର, ବରଗଡ଼, ସୋନପୁର ଏବଂ ସମ୍ବଲପୁରର ଶାଢ଼ୀ, କାଶ୍ମୀରର ସାଲ, ଢ଼େଙ୍କାନାଳର ଢ଼ୋକ୍ରା ଏବଂ ପୁରୀର ତାଳପତ୍ର କାମ ଇତ୍ୟାଦି ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବା ସହ ବିକ୍ରି ହେଉଛି । ଏହି ପ୍ରଦର୍ଶନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ୧୦୦ ଜଣ ହସ୍ତଶିଳ୍ପୀ ସେମାନଙ୍କର ହସ୍ତଶିଳ୍ପୀ ସାମଗ୍ରୀ ବିକ୍ରୟ କରୁଛନ୍ତି । ପ୍ରଦର୍ଶନୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ହସ୍ତଶିଳ୍ପର ବ୍ୟାପକ ପ୍ରଚାର ପ୍ରସାର କରି ହସ୍ତଶିଳ୍ପ କ୍ଷେତ୍ରରେ ବିପୁଳ କର୍ମ ନିୟୋଜନ ସୃଷ୍ଟି କରିବା ସହ ହସ୍ତଶିଳ୍ପୀମାନଙ୍କ ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି କରିବା ଉକ୍ତ ପ୍ରଦର୍ଶନୀର ଉଦ୍ଦେଶ୍ୟ ବୋଲି ଡୋଭ୍ର ସମ୍ପାଦକ ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।
