ଆଜିଠୁ ରାଜଧାନୀ ଦିଲ୍ଲୀରେ ଲାଗିବ ନାଇଟ୍ କର୍ଫ୍ୟୁ, ଜାଣନ୍ତୁ କିପରି ରହିବ କଟକଣା
ନୂଆଦିଲ୍ଲୀ : ଓମିକ୍ରନ୍ର ମାମଲାରେ ବୃଦ୍ଧି ପ୍ରତ୍ୟେକ ରାଜ୍ୟର ଚିନ୍ତାକୁ ବଢ଼ାଉଛି । ତେବେ ଏହାର ମୁକାବିଲା ପାଇଁ ସମସ୍ତ ରାଜ୍ୟ ମଧ୍ୟ ନିଜ ନିଜ ସ୍ତରରେ ପ୍ରତିବନ୍ଧକ ଲଗାଉଛନ୍ତି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ଠାରୁ ଏହି ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ନାଇଟ୍ କର୍ଫ୍ୟୁ ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ । ମଧ୍ୟପ୍ରଦେଶ, ହରିୟାଣା, ଗୁଜୁରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ପୁଡୁଚେରୀ ସରକାର ମଧ୍ୟ କୋରୋନା ମାମଲାକୁ ନେଇ ନାଇଟ୍ କର୍ଫ୍ୟୁ ଘୋଷଣା କରିସାରିଛନ୍ତି ।
ନାଇଟ୍ କର୍ଫ୍ୟୁ ସମୟରେ କେବଳ ଜରୁରୀ ଶ୍ରମିକମାନଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଯାତ୍ରା କରିପାରିବେ । କିଛି ଦିନ ପୂର୍ବେ ଦିଲ୍ଲୀର ସରୋଜିନୀ ନଗରରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ପ୍ରବଳ ଜନଗହଳି ହୋଇଥିବାର ନଜର ଆସିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀ ବଜାରର ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ କୋରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ପ୍ରଥମ ମାମଲା ରିପୋର୍ଟ ହୋଇଛି । ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଅମିତାଭ ଆୱସ୍ତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଡିସେମ୍ବର ୧୨ ରେ ୪୫ ବର୍ଷୀୟା ମହିଳା ମାଣ୍ଡି ଜିଲ୍ଲାର ଓମିକ୍ରନରେ ସଂକ୍ରମିତ ହୋଇଥିଲେ । ତାଙ୍କର ଆରଟି-ପିସିଆର ପରୀକ୍ଷା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା ।
