ବୁଷ୍ଟର ଡୋଜ୍ ନେଇ ଆସିଲା ବଡ଼ ଅପଡେଟ୍ : ଟିକା ନେବାରେ ଏତିକି ମାସର ବ୍ୟବଧାନ ଆବଶ୍ୟକ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁୟାରୀ ୩ରୁ ୧୫ରୁ ୧୮ ବର୍ଷ ବୟସର ଯୁବକଯୁବତୀଙ୍କୁ କୋଭିଡ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ପିଲାଙ୍କ ପାଇଁ କେବଳ ଭାରତ ବାୟୋଟେକର ଟିକା ‘କୋଭାକ୍ସିନ’ ଉପଲବ୍ଧ ହେବାର ସମ୍ଭାବନା ଅଛି। ଏହା ସହିତ, ସ୍ୱାସ୍ଥ୍ୟ ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଗୁରୁତର ରୋଗରେ ପୀଡିତଙ୍କୁ ପୂର୍ବରୁ ନେଇଥିବା ସମାନ ଟିକାର ତୃତୀୟ ଡୋଜ୍ ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧନ କରି ଘୋଷଣା କରିଛନ୍ତି ଯେ, ଜାନୁୟାରୀ ୩ରୁ ୧୫-୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ। ଜାନୁଆରୀ ୧୦ରୁ ସ୍ୱାସ୍ଥ୍ୟ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନେ ତୃତୀୟ ତଥା ବୁଷ୍ଟର ଡୋଜ୍ ପାଇବେ। ଦେଶରେ ଲଗାତାର ବଢୁଥିବା ‘ଓମିକ୍ରୋନ୍’ ମାମଲାକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଭାରତ ବାୟୋଟେକର ‘କୋଭାକ୍ସିନ୍’ ବର୍ତ୍ତମାନ ଏକମାତ୍ର କୋଭିଡ୍ ଟିକା ଯାହାକୁ କିଶୋରମାନଙ୍କୁ ଦିଆଯିବ ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।
ଟିକା ନେବାକୁ ଥିବା ୧୫-୧୮ ବର୍ଷ ବୟସର କିଶୋର ବର୍ଗର ଆନୁମାନିକ ଜନସଂଖ୍ୟା ସାତରୁ ଆଠ କୋଟି ଅଟେ। ସୂତ୍ରରୁ ଜଣାପଡିଛି ଯେ ଜିଡସ୍ କ୍ୟାଡିଲାଙ୍କ ଟିକା ‘ଜାକୋଭ୍-ଡି’ ଦେଶର ଟିକାକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ବୟସ୍କଙ୍କ ପାଇଁ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଅବଶ୍ୟ, ଏହା ଅଗଷ୍ଟ ୨୦ରେ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଦ୍ୱାରା ଅନୁମୋଦିତ ହୋଇଥିଲା। ଏହା ଦେଶର ପ୍ରଥମ ଟିକା ଯାହାକି ୧୨-୧୮ ବର୍ଷ ବୟସ ଶ୍ରେଣୀରେ ଦିଆଯାଇପାରିବ।
କୋଭିଡ ଟିକାର ଦ୍ୱିତୀୟ ଏବଂ ତୃତୀୟ ଡୋଜ ମଧ୍ୟରେ ବ୍ୟବଧାନ ନଅରୁ ୧୨ ମାସ ହୋଇପାରେ। ବର୍ତ୍ତମାନ ବିଶ୍ୱର ୩୬ଟି ଦେଶରେ ବୁଷ୍ଟର ଡୋଜ୍ ଟିକାକରଣ ପ୍ରକ୍ରିୟା ଚାଲିଛି। ଭାରତର କୋଭିନ ପୋର୍ଟାଲରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଛି ଯାହାଦ୍ୱାରା ଟିକାକରଣର ଏକ ନୂତନ ବର୍ଗ ପଞ୍ଜୀକୃତ ହୋଇପାରିବ। ଡିସିଜିଆଇ ଶୁକ୍ରବାର ୧୨ ବର୍ଷରୁ ଅଧିକ ପିଲାମାନଙ୍କ ଉପରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଭାବରେ ବିକଶିତ କୋଭାକ୍ସିନ୍ ଟିକାକୁ ଅନୁମୋଦନ କରିଛି କିନ୍ତୁ କିଛି ସର୍ତ୍ତ ମଧ୍ୟ ଲଗାଇଛି।
ଅନ୍ୟପଟେ ପିଲାଙ୍କ ଟିକାକରଣ ନିଷ୍ପତ୍ତିକୁ ଏମ୍ସର ଜଣେ ମହାମାରୀ ବିଶେଷଜ୍ଞ ଭୁଲ ବୋଲି କହିଛନ୍ତି। ଡାକ୍ତର ସଞ୍ଜୟ ରାୟ କହିଛନ୍ତି ଯେ, ପିଲାଙ୍କ ଟିକାକରଣ ବିଜ୍ଞାନସମ୍ମତ ନୁହେଁ ଓ ଏହେ ବିଶେଷ ଫାଇଦା ଦେବ ନାହିଁ। ବୁଷ୍ଟର ଡୋଜ୍ ନେଇଥିବା ଲୋକ ମଧ୍ୟ କୋରୋନା ସଂକ୍ରମିତ ହେଉଛନ୍ତି। ପିଲାଙ୍କ କ୍ଷେତ୍ରରେ କୋରୋନା ସେତେଟା ମାରାତ୍ମକ ଦେଖାଯାଇନାହିଁ। ଯେଉଁ ସବୁ ଦେଶରେ ପିଲାଙ୍କ କୋରୋନା ଟିକାକରଣ ଚାଲିଛି, ତାହାର ଅନୁଧ୍ୟନ ପରେ ସରକାର ନିଷ୍ପତ୍ତି ନେବା କଥା ଥିଲା ବୋଲି ଡାକ୍ତର ରାୟ କହିଛନ୍ତି।
