ଦୁର୍ଦ୍ଦାନ୍ତ ଅପରାଧୀ ସକିଲ୍ର ସହଯୋଗୀ ଗିରଫ : ବନ୍ଧୁକ, ଗୁଳି ଓ ସ୍କୁଟି ଜବତ
କଟକ : ଜଗତପୁର ଥାନା ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ଜନୈକ ସହଯୋଗୀକୁ ଗିରଫ କରିବା ସହିତ ତା ନିକଟରୁ ଗୋଟିଏ ଅଟୋମେଟିକ୍ ରିଭଲଭର, ୬ ରାଉଣ୍ଡ ଗୁଳି ଓ ଗୋଟିଏ ସ୍କୁଟି ଜବତ କରିଛି । ଗିରଫ ଅଭିଯୁକ୍ତ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ବକ୍ସିବଜାର ପେନସନ ଲେନର ସେକ ବାବୁ ଓରଫ ବାରେନ ବାବୁ(୩୦) । ପୋଲିସ ପ୍ରଦତ୍ତ ସୂଚନା ଅନୁଯାୟୀ, ଏସଆଇ ଡିକେ ମହାନ୍ତି ଗତକାଲି ରାତି ପ୍ରାୟ ୯ଟା ବେଳେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ନିକଟ ଆଦିସ୍ ହୋଟେଲ ଛକରେ ଅପେକ୍ଷା କରିଥିଲା ବେଳେ ଖଇରା ପୋଲଆଡୁ ବାବୁ ଏକ ସ୍କୁଟି(ଓଡି-୦୫-ୟୁ-୯୮୦୬)ରେ ଆସୁଥିଲା । ମାତ୍ର ପୋଲିସକୁ ଦେଖି ସେ ଫେରିଯାଉଥିବା ବେଳେ ଏସଆଇ ଶ୍ରୀ ମହାନ୍ତି ସଦଳବଳେ ଚଢଉ କରି ତାକୁ ଧରିବା ପରେ ତା ନିକଟରୁ ଗୁଳି ଭରା ବନ୍ଧୁକ ପାଇଥିଲେ । ସେ କୈାଣସି କାଗଜପତ୍ର ଦେଖାଇନପାରିବାରୁ ତାକୁ ଥାନାକୁ ଆଣିଥିଲେ । ଏନେଇ ଜଗତପୁର ଥାନାରେ ୪୨/୨୦୨୩ରେ ଅସ୍ତ୍ରଶସ୍ତ୍ର ଆଇନ ଧାରା ୨୫(କ) ଓ (ଖ)ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ବିରୋଧରେ କଟକ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୨୧ଟି ମାମଲା ଥିବା ଜଣାପଡିଥିବା ବେଳେ ଅଧିକ ଅପରାଧିକ କାର୍ଯ୍ୟକଳାପର ଖୋଳତାଡ ଜାରି ରହିଛି ।
