ନଦୀରେ ଭାସିଯାଇଥିବା ଯୁବକର ମୃତଦେହ ଉଦ୍ଧାର କଲା ଏନ୍ଡିଆରଏଫ୍
ଭଦ୍ରକ : ଗତମାଲି ମା’ ଦୁର୍ଗାଙ୍କ ଭସାଣି ସମୟରେ ନଦୀରେ ଭାସିଯାଇଥିବା ଯୁବକର ମୃତଦେହ ଆଜି ଉଦ୍ଧାର କରିଛି ଏନଡିଆରଏଫ୍ । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ଜାନୁଗଞ୍ଜର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମା’ଙ୍କୁ ଜାନୁଗଞ୍ଜରୁ ବାଉଦପୁରସ୍ଥିତ ସାଳନ୍ଦୀ ନଦୀଘାଟକୁ ଆଣି ବିସର୍ଜିତ କରାଯାଇଥିଲା । ଏହି ବିସର୍ଜନ ସମୟରେ ଦୁଇ ଯୁବକ ସାଳନ୍ଦୀ ନଦୀରେ ଭାସିଯାଇଥିଲେ । ଜଣକୁ ଏକ କିଲୋମିଟର ଭାସିଯିବାପରେ ତାକୁ ଉଦ୍ଧାର କରାଯାଇ ତୁରନ୍ତ ଭଦ୍ରକ ମେଡିକାଲ ପଠାଯାଇ ଚିକିତ୍ସିତ କରାଯାଇଥିଲା । ଏବଂ ଅନ୍ୟଜଣକୁ ସ୍ଥାନୀୟ ଲୋକେ ପାଇନଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ଖୋଜାଖୋଜି ସମ୍ଭବପର ହୋଇପାରିନଥିଲା ।
ଆଜି ସକାଳୁ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକର କୌଣସି ସନ୍ଧାନ ପାଇନଥିଲେ । ଆଜି ଦିନ ୩ଟା ବେଳେ ବାଲେଶ୍ୱରରୁ ୨୧ ଜଣିଆ ଏନଡିଆରଏଫ୍ ଟିମ୍ ଆସି ଖୋଜାଖୋଜି କରି ସନ୍ଧ୍ୟା ୫ଟାରେ ସାଳନ୍ଦୀ ନଦୀର ଦଳ ଭିତରୁ ଯୁବକର ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ହେଲେ ସ୍ଥାନୀୟ ଜାନୁଗଞ୍ଜ ଅଂଚଳର କାଳନ୍ଦୀ ସାହୁଙ୍କ +୨ ପଢୁଥିବା ୧୭ ବର୍ଷର ପୁତ୍ର ରାମାନନ୍ଦ । ରାମାନନ୍ଦଙ୍କର ମୃତଦେହ ମିଳିବା ପରେ ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାମାନନ୍ଦର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଯାଇଥିବାର ଜଣାପଡିଛି ।
