କେନ୍ଦୁଝର ରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦ୍ଯାପିତ : ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ
କେନ୍ଦୁଝର : ଆଂଚଳିକ ପରିବହନ ପ୍ରାଧିକରଣ କେନ୍ଦୁଝର ଆନୁକୂଲ୍ୟରେ ଗତ ତା ୧୧.୦୧.୨୦୨୩ରିଖ ଠାରୁ ପାଳନ ହୋଇଆସୁଥିବା ଜାତୀୟ ସଡକ ସୁରକ୍ଷା ସପ୍ତାହ ଚଳିତ ଜାନୁଆରୀ ୧୮ ତାରିଖ ବୁଧବାର ଦିନ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ଆଂଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାଶ ଉଦ୍ବୋଧନ ଦେଇ ପ୍ରତ୍ୟେକ ବ୍ୟକ୍ତି ଦୃଢ ମାନସିକତା ଓ ଆନ୍ତରିକତା ମନୋଭାବ ପୋଷଣ କରି ଟ୍ରାଫିକ୍ ନିୟମ ମାନ ଗାଡି ଚଳାଇଲେ ସଡକ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି କହିଥିଲେ । କେବଳ ସଡକ ସୁରକ୍ଷା ସପ୍ତାହ ପାଳନ ବେଳେ ସଚେତନତାକୁ ସୀମିତ ନରଖି ବାସ୍ତବ କ୍ଷେତ୍ରରେ ପ୍ରତି ମୁହୂର୍ତରେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବା ଅଙ୍ଗୀକାର ନେଇ କାର୍ଯ୍ୟ କରବାକୁ ଆହ୍ୱାନ ଜଣାଇଥିଲେ । ଦୁର୍ଘଟଣାର କାରଣ ଓ ତା’ର ଭୟାବହ ପରିଣତି ସଂପର୍କରେ ଆଲୋକପାତ କରି ଟ୍ରାଫିକ୍ ନିୟମ ମାନି ଗାଡି ଚଳାଇଲେ ଅନେକ ଅମୂଲ୍ୟ ଜୀବନ ଧନ ରକ୍ଷା ପାଇବ ବୋଲି କହିଥିଲେ । ସମସ୍ତଙ୍କ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ଦୁର୍ଘଟଣାର ମାତ୍ରା କମିଛି ବୋଲି କହିବା ସହିତ ଜିଲ୍ଲାପାଳ ଏବଂ ଏସ୍.ପି.ଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଏତଦ୍ବ୍ୟତୀତ କେନ୍ଦୁଝର ଜିଲ୍ଲାରେ ସଡକ ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ଏସ୍.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ, ଟ୍ରାଫିକ୍ ଇନିସ୍ପେକ୍ଟର ସୁକୁରାମ ସୋରେନ୍ ଅତିଥି ଭାବେ ଉପସ୍ଥିତ ଥିଲେ । ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ ସଂଜୀବ ବାରିକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ସମ୍ଭାଷଣ କରିବା ସହ ଉଦ୍ପାପନୀ ସମାରୋହର ସଂଚାଳନା କରିଥିଲେ । ଏମ୍.ଭି.ଆଇ. ଚିତରଂଜନ ସେନାପତି ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିବା ସହ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ୦୬ ଜଣ ଗୁଡ୍ ସମାରିଟନଙ୍କୁ ପୁରସ୍କୃତ କରାଯାଇ ଦୁଇହଜାର ଟଙ୍କା ଲେଖାଏଁ ଅର୍ଥରାଶି ଓ ହେଲେମେଟ୍ ପ୍ରଦାନ କରାଯାଇଥିଲା । ଉଦ୍ଯାପନୀ ସମାରୋହ ଅବସରରେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା । ଆସିଷ୍ଟାଂଟ୍ ଏମ୍.ଭି.ଆଇ ରାଜେଶ ମହାପାତ୍ର, ଆସିଷ୍ଟାଂଟ୍ ଟ୍ରାଫିକ୍ ସବଇନିସପେକ୍ଟର ଅକ୍ଷୟ କୁମାର କୁଅଁର, ଏପିଓ ପ୍ରତାପ ପଣ୍ଡା, ବିଜୟ କୁମାର ମହାନ୍ତ, ରାଧିକା ସୁନ୍ଦରୀ ନାୟକ, ରୋସନ ବଡୁ, ଭରତ ପଲେଇ, ଶିବେନ୍ଦ୍ର ରାମ, ପ୍ରଶାନ୍ତ ବେହେରା, ଦିବ୍ୟରଂଜନ ମହାନ୍ତ, ସଂଗ୍ରାମ ମଲ୍ଲିକ, ଗଣେଶ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଂଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ଅଂଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟମାନଙ୍କରେ, ଜନଗହଳି ସ୍ଥାନ ମାନଙ୍କରେ ଚଳଚିତ୍ର ପ୍ରଦର୍ଶନ, ସଚେତନତା ସଭା, ଲିଫ୍ଲେଟ୍ ବଂଟନ, କେନ୍ଦୁଝର, ଆନନ୍ଦପୁର, ବଡବିଲ୍, ଯୋଡା, ଚମ୍ପୁଆ ସହରରେ ଚଳଚିତ୍ର ପ୍ରଦର୍ଶନ ସଚେତନତା ଶୋଭାଯାତ୍ରା, ଚାଳକମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର, ଶିଳ୍ପାନୁଷ୍ଠାନମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜନ କରାଯାଇଥିଲା ।
