ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଚାଷୀଙ୍କ ବିକ୍ଷୋଭ
କେନ୍ଦୁଝର : ଧାନ ସଂଗ୍ରହରେ ଅନିୟମିତତା, କଟନି ଛଟନି ଓ ମିଲ୍ ମାଲିକଙ୍କ ମନମାନି ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି, ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲେ କୃଷକ । ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଏଫ.ଏ. କିଉ ମାନ ଦର୍ଶାଇ ଜିଲ୍ଲାର ପାଟଣା ଠାରୁ ଆରମ୍ଭ କରି ତେଲକୋଇ, ହରିଚନ୍ଦନପୁର ଯାଏଁ ସମସ୍ତ ମଣ୍ଡିରେ ୪ ରୁ ୫ କେଜି ଧାନ କଟାଯାଉଛି । ଚାଷୀମାନଙ୍କୁ ଅଖା ଟଙ୍କା ମିଳୁ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଚାଷୀ । ଏଥିସହ ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ ସରକାର କିଣିବା ସହିତ ଏହାର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ଚାଷୀ । ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀ ସେମାନଙ୍କ ଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଢ଼ାଳିବା ସହ ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ଘଣ୍ଟାଏ ବିଳମ୍ବରେ ପୋଲିସ ପହଂଚିଥିଲା । ଚାଷୀଙ୍କୁ ଆନ୍ଦୋଳନରୁ ଉଠାଇବା ସମୟରେ ପୋଲିସ ସହିତ ମୁଁହାମୁଁହି ହୋଇଛି ।
