୩ ମାସରେ ଶେଷ ହେବ ଏମ୍ଏସ୍ଏମ୍ଇ ଗଣନା
ଭୁବନେଶ୍ୱର : ଅକ୍ଟୋବର ମାସଠାରୁ ରାଜ୍ୟରେ ଏମ୍ଏସ୍ଏମ୍ଇ ଗଣନା କାର୍ଯ୍ୟକ୍ରମ କରାଯିବ । ଏହା ତିନି ମାସ ଯାଏଁ ଚାଲିବ । ଦୀର୍ଘ ୧୫ ବର୍ଷ ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ସର୍ଭେ କରୁଥିବା ଅ୭ଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଜଣାଇଛନ୍ତି । ଇତିମଧ୍ୟରେ ମାଷ୍ଟର ଟ୍ରେନରମାନଙ୍କ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଗଣନାକାରୀ ଭାବେ ଗଣଶିକ୍ଷା ବିଭାଗର ୧୫୦୦ ଶିକ୍ଷକଙ୍କୁ ଏହି କାର୍ଯ୍ୟରେ ନିୟୋଜନ କରାଯିବ । ଏହି ଗଣନା ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରଶ୍ନାବଳୀ ସହିତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ପାଇଁ ଫର୍ମାଟ ପ୍ରସ୍ତୁତ କରାଯାଇଛି । ପ୍ରାୟ ୫ ଲକ୍ଷ ୟୁନିଟ୍ ଠାରୁ ତଥ୍ୟ ସଂଗ୍ରହ କରାଯିବାକୁ ଧାର୍ଯ୍ୟ କରାଯାଇଛି । ଏହା ଏକାଥରକେ ରାଜ୍ୟର ୩୧୪ଟି ବ୍ଲକ୍ ଏବଂ ୧୨୬ଟି ପୌରାଂଚଳରେ ସଂଚାଳନ କରାଯିବ ।
ରାଜ୍ୟର ଆର୍ôଥକ ବିକାଶ ଓ ଯୋଜନା ପ୍ରଣୟନ ନିମେନ୍ତ ଏହି ତଥ୍ୟ ଅଧିକ ଗୁରୁତ୍ୱ ବହନ କରୁଥିବା ହେତୁ ଏହି ପ୍ରକ୍ରିୟାକୁ ନିର୍ଭୁଲ ଏବଂ ସଠିକ୍ ଭାବେ ପରିଚାଳନା କରିବା ଉପରେ ଅଧିକ ଦୃଷ୍ଟି ନିକ୍ଷେପ କରାଯାଉଥିବା ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୧୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ସଂଗୃହୀତ ହେବାକୁ ଥିବା ତଥ୍ୟରେ ଉଦ୍ୟୋଗର ଅବସ୍ଥିତିଠାରୁ ଆରମ୍ଭ କରି ତା’ର ପ୍ରକାର, ଆକାର, ଠିକଣା, ସତ୍ୱାଧିକାରୀଙ୍କ ସବିଶେଷ ବିବରଣୀ, ସରକାରଙ୍କଠାରୁ ଆର୍ôଥକ ସହଯୋଗ ଯଦି ପାଇଥାନ୍ତି ତା’ର ସଂପୂର୍ଣ୍ଣ ବିବରଣୀ ତଥା ଉଦ୍ୟୋଗର ସାଂପ୍ରତିକ ଅବସ୍ଥା, ସଫଳତା, ବିଫଳତା, ଉଦ୍ୟୋଗୀ ସମ୍ମୁଖୀନ ହେଉଥିବା ସମସ୍ୟା ଇତ୍ୟାଦି ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ । ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିବା ପାଇଁ ଶିଳ୍ପ ନିର୍ଦ୍ଦେଶାଳୟ, କଟକକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି । ତା’ଛଡ଼ା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପାଇଁ ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ, ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପ୍ରଭୃତିର ସହାୟତା ନିଆଯାଇଛି ।
