ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ, ମାମଲା ରୁଜୁ
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ କରାଯାଇଛି । ଶ୍ରୀମତୀ ଷଡଙ୍ଗୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ଛାତ୍ର କଂଗ୍ରେସ କର୍ମୀମାନେ ବାଲିପାଟଣାରେ ସାଂସଦଙ୍କ ଗାଡି ଉପରକୁ ଅଣ୍ଡାମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଥିଲେ । ବେରୋଜଗାର, ତୈଳ ଦର ସମେତ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ସାଂସଦଙ୍କ ଗାଡିକୁ ଅଣ୍ଡାମାଡ କରିଥିବା ଜଣାପଡିଛି ।
ଅପରପକ୍ଷରେ ସାଂସଦଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାରେ ମାମଲା ରୁଜୁ ହୋଇଛି । ସାଂସଦଙ୍କ ପ୍ରତିନିଧି ଧନେଶ୍ୱର ବାରିକ୍ ଙ୍କ ଅଭିଯୋଗ କ୍ରମେ ବାଲିପାଟଣା ପୁଲିସ ମାମଲା ରୁଜୁ କରଛି । ଅଭିଯୋଗରେ ଶ୍ରୀ ବାରିକ୍ ଦର୍ଶାଇଛନ୍ତି ଯେ, ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଅଣ୍ଡା ସହ ପଥର ମାଡ ହୋଇଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ ମୋଦି ସରକାର ଛାତ୍ର ଓ ଯୁବକମାନଙ୍କୁ ପ୍ରତାରିତ କରିଛନ୍ତି । ବର୍ଷକୁ ୨କୋଟି ନିଯୁକ୍ତି ଦେବେ ବୋଲି କହି ଭୋଟ ଲୁଟିନେଲେ । ୭ ବର୍ଷରେ ୧୪ କୋଟି ନିଯୁକ୍ତି ଦେବା କଥା, ମାତ୍ର ସେହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦର ଆକାଶଛୁଆଁ । ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମଧ୍ୟମବର୍ଗର ଲୋକ ମଧ୍ୟ କିଣିବାପାଇଁ କଷ୍ଟ ଅନୁଭବ କଲେଣି । ଏଣୁ ସାଂସଦ ଅପରାଜିତାଙ୍କୁ ଆଜି ବାଲିପାଟଣା ଛକଠାରେ ଯେଉଁ ପ୍ରତିବାଦ ପ୍ରଦର୍ଶନ ହୋଇଛି ତାହା ମୋଦି ସରକାରଙ୍କର ବେରୋଜଗାର ଓ ଦରଦାମ ବୃଦ୍ଧି ତଥା ଚାଷୀ ହତ୍ୟା ପ୍ରସଙ୍ଗରେ । କେନ୍ଦ୍ରର ଏନଡିଏ ସରକାର ବିରୋଧରେ ପ୍ରଦେଶ ଛାତ୍ର କଂଗ୍ରେସ ରାଜ୍ୟସାରା ତାର ପ୍ରତିବାଦ ଜାରି ରଖିବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଛନ୍ତି ।
