ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ବାଚସ୍ପତି
ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ବରେ ସରକାର ଗଠନ ପାଇଁ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଶପଥପାଠ କରିବା ପରେ ନୂଆ ବାଚସ୍ପତିଙ୍କ ନାମ ଚର୍ଚ୍ଚାକୁ ଆସିଛି। ବରିଷ୍ଠ ବିଜେପି ନେତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ବାଚସ୍ପତି ହେବା ନେଇ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।
ସୁରମା ହେଉଛନ୍ତି ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀର ବିଧାୟକ। ଦ୍ୱିତୀୟ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ। ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ୧୯୯୮ ମସିହାରେ ସେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୦୦ ମସିହା ପର୍ଯ୍ୟନ୍ତ ସେ ସେହି ପଦବୀରେ ରହିଥିଲେ। ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୦୪ ମସିହାରେ ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ସୁରମା ବିଜେପିରୁ ଲଢ଼ିଥିଲେ। ଆଉ ବିଜୟୀ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଥିଲେ। ଚଳିତ ନିର୍ବାଚନରେ ପୁଣି ଥରେ ଲଢ଼ି ସେ ବିଜୟୀ ହୋଇଛନ୍ତି।
