ଏମ୍ସରେ ବଢ଼ିବ ସୁପରସ୍ପେଶିଆଲିଟି ସେବା
ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱରରେ ବୃଦ୍ଧି ପାଇବ ସୁପରସ୍ପେଶିଆଲିଟି ସେବା । ଏମ୍ସ ଭୁବନେଶ୍ୱରର ସର୍ଜିକାଲ୍ ଗ୍ୟାସଟ୍ରୋଏେଂଟରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଯଥାକ୍ରମେ ଏମ୍ସିଏଚ୍ ଓ ଡିଏମ୍ କୋର୍ସ ଖୁବ୍ ଶୀଘ୍ର ଆରମ୍ଭ ହେବ । ଏନେଇ ଚୁଡ଼ାନ୍ତ ପ୍ରକ୍ରିୟା ସମାପ୍ତ ହୋଇଛି । ଚଳିତ ମାସ ୨୧ ଓ ଆଜି ଏମ୍ସ ନୂଆଦିଲ୍ଲୀ, ଜେଆଇପିଏମଇଆର ପୁଡୁଚେରୀ ଏବଂ ଏସ୍ସିବି ମେଡିକାଲ କଲେଜ ଏଣ୍ଡ୍ ହସ୍ପିଟାଲ, କଟକରୁ ଆସିଥିବା ବିଶେଷଜ୍ଞଙ୍କ ଟିମ୍ ଅନୁଧ୍ୟାନ ପରେ ଉପରୋକ୍ତ ଦୁଇଟି ବିଭାଗରେ ଖୁବ୍ ଶୀଘ୍ର ସୁପରସ୍ପେଶିଆଲିଟି କୋର୍ସ ଆରମ୍ଭ ହେବାନେଇ ପ୍ରକ୍ରିୟା ନିଶ୍ଚିନ୍ତ ହୋଇଛି । ବିଶେଷଜ୍ଞଙ୍କ ଦଳ ଦୁଇ ବିଭାଗର ଭିତିଭୂମି ସହିତ ଗବେଷଣାକୁ ନେଇ ରହିଥିବା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ପରେ ଏକ୍ସପର୍ଟ ଟିମ୍ ସନ୍ତୋଷ ପ୍ରକାଶ କରିବା ସହିତ ଦୁଇ ବିଭାଗରେ ସୁପରସ୍ପେଶିଆଲିଟି କୋର୍ସ ଆରମ୍ଭ ହେବା ନେଇ ସବୁଜ ସଙ୍କେତ ଦେଇଛନ୍ତି । ଏପରି ହେଲେ ଉପରୋକ୍ତ ଦୁଇ ପ୍ରମୁଖ ବିଭାଗରେ ପ୍ରତିବର୍ଷ ଦୁଇଟି କରି ଡିଏମ୍/ଏମ୍ସିଏଚ୍ ସିଟ୍ ବୃଦ୍ଧିପାଇବ । ଯାହାକି ଅଧିକ ଗବେଷଣାକୁ ତ୍ୱରାନ୍ୱିତ କରିବ ଏବଂ ଏହା ଗୁଣବତାସମ୍ପନ୍ନ ରୋଗୀସେବାରେ ସହାୟକ ହେବ ।
ଏହାକୁ ମିଶାଇଲେ ବର୍ତମାନ ସମୟରେ ଏମ୍ସ ଭୁବନେଶ୍ୱରର ୧୬ଟି ବିଭାଗରେ ଡିଏମ୍/ଏମ୍ସିଏଚ୍ କୋର୍ସ ପ୍ରଚଳନ ହୋଇସାରିଛି । ଏନେଇ ଦେଶର ପ୍ରମୁଖ ଚିକିତ୍ସାବିଜ୍ଞାନୀ ତଥା ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ଉଚ୍ଚମାନର ରୋଗୀ ସେବା ନିମନ୍ତେ ଅନୁଷ୍ଠାନ ବଦ୍ଧପରିକର ଥିବା ପ୍ରକାଶ କରିଛନ୍ତି । ଏଥିସହିତ ଏମ୍ସ ଭୁବନେଶ୍ୱରର ସର୍ଜିକାଲ୍ ଗ୍ୟାସଟ୍ରୋଏେଂଟରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗରେ ଏମ୍ସିଏଚ୍ ଓ ଡିଏମ୍ କୋର୍ସର ପ୍ରଚଳନ ଅଧିକ ଗବେଷଣାର ସୁଯୋଗ ଆଣିଦେବ । ଯାହାକି ପରୋକ୍ଷରେ ସାଧାରଣ ଲୋକଙ୍କ ଉପକାରରେ ଲାଗିବ ବୋଲି ନିର୍ଦ୍ଦେଶିକା ଡ. ଗୀତାଞ୍ଜଳି ମତବ୍ୟକ୍ତ କରିଛନ୍ତି ।
